କରୋନା ଟିକାକରଣକୁ ନେଇ ଆଫ୍ରିକୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅସନ୍ତୋଷ, କହିଲେ ଏହା ନୈତିକ ଭେଦଭାବ
10/12/2020 at 7:21 PM

ନାଇରୋବୀ ୧୦।୧୨: ସାରା ବିଶ୍ୱକୁ ବ୍ୟାପିଯାଇଛି କରୋନା ଭାଇରସ ମହାମାରୀ। ଏଥିରେ ସଂକ୍ରମଣ ରୋକିବା ଲାଗି ଟିକା ଉଦଭାବନ ଯଦିଓ ପରିସ୍ଥିତିକୁ ସାମାନ୍ୟ ଆଶ୍ୱସ୍ତ କରିଛି ତଥାପି ଏକକାଳୀନ ସାରା ବିଶ୍ୱରେ ଟିକାକରଣ ଆରମ୍ଭ ହୋଇନାହିଁ। କିଛି ଧନାଢ୍ୟ ଦେଶ କୋଭିଡ ଭୂତାଣୁ ଆୟତ୍ତ କରିବା ଲାଗି ଏବେ ଟିକାକରଣ ଆରମ୍ଭ କରିଛନ୍ତି। ହେଲେ ଆଫ୍ରିକୀୟ ଜନସ୍ୱାସ୍ଥ୍ୟ ଅଧିକାରୀ ଏଥିରେ ଆପତ୍ତି କରିଛନ୍ତି। ଔଷଧବିନା ଆଫ୍ରିକାରେ ଲୋକେ ଏବେ ପୋକମାଛି ପରି ମରୁଛନ୍ତି। ଏଥିରେ ଧନୀଦେଶଙ୍କ କୋଭିଡ ପ୍ରବନ୍ଧନ ନୈତିକ ବଳ ହ୍ରାସ କରୁଥିବା କହିଛନ୍ତି ଜନ ନେକେଙ୍ଗାକସଙ୍ଗ।
ଜନ ଆଫ୍ରିକାନ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନରେ ନିର୍ଦ୍ଦେଶକ ଅବସ୍ଥାପିତ ଅଛନ୍ତି। ବ୍ରିଟେନରେ ଏବେ ହେଉଥିବା ଟିକାକରଣକୁ ଦେଖି ଆଫ୍ରିକା ହୁଏତ ୨୦୨୧ ଦ୍ୱିତୀୟ ତ୍ରୈମାସିକ ବେଳକୁ ଟିକା ଦେଖିପାରେ କି ନପାରେ ସେ ନେଇ ସନ୍ଦେହବ୍ୟକ୍ତ କରିଛନ୍ତି। ଆଫ୍ରିକାରେ ପୁଣି କରୋନାଭାଇରସ ମହାମାରୀର ପ୍ରକୋପ ଦେଖାଯାଇଛି। ମହାଦେଶର ଅନୁନ୍ୟ ୧.୩ ବିଲିୟନରୁ ବି ଅଧିକ ଲୋକେ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇସାରିଥିବା ବେଳେ ବନାଗ୍ନି ଭଳି ବ୍ୟାପିବାରେ ଲାଗିଛି ବୋଲି ଜନ୍ କହିଛନ୍ତି।
ଟିକାକରଣକୁ ଜନ ଏକ ନୈତିକ ପ୍ରସଙ୍ଗ ବୋଲି କହିଛନ୍ତି। ସାଧାରଣ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଆବିଷ୍କୃତ ହୋଇଥିବା ଟିକାର ନ୍ୟାୟୋଚିତ ବିତରଣ ଲାଗି ସେ ମିଳିତ ଜାତିସଂଘଙ୍କୁ ସ୍ୱତନ୍ତ୍ର ଅଧିବେସନ ଡକାଇବାକୁ ଅନୁରୋଧ କରିଛନ୍ତି। କେବଳ ପାଶ୍ଚାତ୍ୟ ଦେଶ କୋଭିଡ-୧୯ ମୁକ୍ତ ହୋଇଯିବେ ଅନ୍ୟ ଦେଶଙ୍କୁ ଦିଆଯିବନି ସେପରି ଭେଦଭାବର ତୁରନ୍ତ ନିରାକରଣ କରିବାକୁ ଜନ କହିଛନ୍ତି। ଆଫ୍ରିକାରେ ଔଷଧ ଲାଗି ଆମେ ସଂଘର୍ଷ କରୁଛୁ। ଏଥିରେ ଧନୀଦେଶମାନେ ନିଜଲାଗି ଅଧିକ ଟିକା କିଣିନେଉଛନ୍ତି। ଏଣୁ ସ୍ୱଳ୍ପ ବିକଶିତ ଦେଶମାନଙ୍କୁ କିଛି ଟିକା ଦେବା ଲାଗି ବହୁରାଷ୍ଟ୍ରୀୟ ପଦକ୍ଷେପର ଆବଶ୍ୟକତା ଥିବା ସେ କହିଛନ୍ତି।
ଆଫ୍ରିକୀୟ ଦେଶମାନେ ୬୦ ପ୍ରତିଶତ ଲୋକଙ୍କଠାରେ ହାର୍ଡ ଇମ୍ୟୁନିଟି ସୃଷ୍ଟି ଲାଗି ରଖିଥିବା ଲକ୍ଷ ପୂରଣ କରିପାରୁନି। ଏଥିଲାଗି ଆବଶ୍ୟକ ଔଷଧ ଉପଲବ୍ଧ ନଥିବାରୁ ଏପରି ପରିସ୍ଥିତି ଉପୁଜିଛି। ତେବେ ଯେଉଁ ଦେଶମାନଙ୍କ ପାଖରେ ଅଧିକ ଡୋଜ ଅଛି ସେମାନେ ସେଥିରୁ ଆବଶ୍ୟକ କରୁଥିବା ଦେଶଙ୍କୁ ସହାୟତା କରିପାରନ୍ତେ ବୋଲି ସେ କହିଛନ୍ତି। ଏଥିଲାଗି ବୈଶ୍ୱିକ ସହଯୋଗ ଓ ସମର୍ଥନ ଆବଶ୍ୟକ । ଏଣୁ ଏପର୍ଯ୍ୟନ୍ତ ଆମେ ବ୍ୟବହାର କରିଆସିଥିବା ଶବ୍ଦର ବାସ୍ତବ ଉପଯୋଗ ଲାଗି ଏହାଠାରୁ ବଳି ପ୍ରକୃଷ୍ଠ ସମୟ ହୁଏତ ଆଉ କିଛି ହୋଇନାପାରେ ବୋଲି ଜନ କହିଛନ୍ତି।
ଆଫ୍ରିକା ମହାଦେଶର ୫୪ଟି ଦେଶରେ ୨.୩ ନିୟୁତରୁ ଅଧିକ ଲୋକେ ସଂକ୍ରମିତ ହୋଇସାରିଲେଣି। କେବଳ ଗତ ସପ୍ତାହରେ ୧୦ ହଜାର ଲୋକେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଠାରେ ଏବେ କୋଭିଡର ଦ୍ୱିତୀୟ ଲହର ଚାଲିଛି ବୋଲି ନିଶ୍ଚିତ ରୂପେ କୁହାଯାଇପାରେ ବୋଲି ସେ କହିଛନ୍ତି।