ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ

Published By : Prameya-News7 Bureau | December 03, 2021 IST

ସୁରଟ, ୦୩|୧୨: ଅଫିମ ଚୋରା କାରବାରରେ ସ୍କୁଲ ଛାତ୍ର । ଏପରି ଏକ ମାମଲା ସାମ୍ନାକୁ ଆସିଛି ଗୁଜୁରାଟରେ । ପୋଲିସ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି । ସେ ନିଜ ସ୍କୁଲ ବ୍ୟାଗରେ ପ୍ରାୟ ୨ କେଜିର ଅଫିମ ଚାଲାଣ କରୁଥିଲେ । ଏପରିକି ସେ ରାଜସ୍ଥାନରୁ ସୁରଟ ମଧ୍ୟ ଆସି ଯାଇଥିଲେ । ଜବତ ହୋଇଥିବା ଅଫିମର ଦାମ ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।

ସୂଚନାନୁସାରେ, ପୋଲିସକୁ ରାଜସ୍ଥାନରୁ ଜଣେ ଛାତ୍ର ଅଫିମ ନେଇ ସୁରଟ ଆସିଥିବା ଖବର ମିଳିଥିଲା । ଏହାପରେ ପୋଲିସ ନିଓଲ ଚେକ୍ ପୋଷ୍ଟରେ ବାରିକେଡ୍ ଲଗାଇ ଗାଡିମଟରକୁ ଯାଞ୍ଚ କରୁଥିଲା । ଏହି ସମୟରେ ଅଭିଯୁକ୍ତ ସ୍କୁଲ ଛାତ୍ରଙ୍କୁ ଗିରଫ କରିଥିଲା । ତାଙ୍କଠାରୁ ୧ କେଜି ୯୮୦ ଗ୍ରାମର ଅଫିମ ଜବତ ହୋଇଛି । ଅଭିଯୁକ୍ତ ଗୋପାଳ ଶର୍ମାଙ୍କ କଥାରେ ଏସବୁ କରୁଥିଲା ବୋଲି ସ୍ୱୀକାର କରିଛି ।

ସୁରଟ ପୋଲିସ ଏସପି ଧର୍ମେନ୍ଦ୍ର ସିଂଙ୍କ କହିବାନୁସାରେ, ରାଜସ୍ଥାନର ଅନେକ ମାଫିଆ ସ୍କୁଲ ଛାତ୍ରଙ୍କୁ ଅଫିମ କାରବାରରେ ଉପଯୋଗ କରୁଛନ୍ତି । ଆଉ କେଉଁ କେଉଁ ଛାତ୍ର ଏଥିରେ ସାମିଲ ଅଛନ୍ତି ସେନେଇ ତଦନ୍ତ ଚାଲିଛି । କିଙ୍ଗ୍ ପିନ୍ ଗୋପାଳ ଶର୍ମାକୁ ଗିରଫ କରାଯିବ । ତେବେ ଛାତ୍ରଜଣଙ୍କ କାହାକୁ ଅଫିମ ଦେବ ସେନେଇ କିଛି ଜାଣିନଥିବା କହିଛି । ତାଙ୍କୁ କେବଳ କାମ କରିବା ପାଇଁ କୁହାଯାଇଥିଲା ବୋଲି ଧର୍ମେନ୍ଦ୍ର ସିଂ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.