ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ

Published By : Prameya-News7 Bureau | October 25, 2021 IST

ସାରଜା ୨୫।୧୦: ଅନୁଭବୀ ନଜିବୁଲ୍ଲା ଜାରଦାନଙ୍କ ଅର୍ଦ୍ଧଶତକ ଏବଂ ମୁଜିବ ଉର ରହମାନ ଓ ରଶିଦଙ୍କ  ଘାତକ  ବୋଲିଂ ଦମରେ ଆଫଗାନିସ୍ତାନ ଟି-୨୦ ବିଶ୍ଵ କପ ୨୦୨୧ର ସୁପର ୧୨ ଗ୍ରୁପ-୨ର ମ୍ୟାଚ୍‌ରେ ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଛି। ଏହି ବଡ ବିଜୟ ସହ ଆଫଗାନିସ୍ତାନ ନିଜର ଅଭିଯାନ ଆରମ୍ଭ କରିଛି। ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୪ ଓ୍ଵିକେଟ୍‌ରେ ୧୯୦ ରନର  ବିଶାଳ ସ୍କୋର କରିଥିଲା। ଦଳ ପକ୍ଷରୁ  ନଜିବୁଲ୍ଲା ସର୍ବାଧିକ ୫୯ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହଜରତୁଲ୍ଲା ଜଜାଇ ୪୪, ଗୁରବଜ ୪୬ ଓ ମହମ୍ମଦ ଶେହଜାଦ ୨୨ ରନ କରିଛନ୍ତି। ଜବାବରେ ସ୍କଟଲାଣ୍ଡ ୧୦.୨ ଓଭରରେ ମାତ୍ର ୬୦ ରନରେ ଅଲଆଉଟ୍ ହୋଇଛି। ସ୍କଟଲାଣ୍ଡ ପକ୍ଷରୁ ଜର୍ଜ ମୁସେ ସର୍ବାଧିକ ୨୫ ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କ୍ରିସ୍ ଗ୍ରିବ୍ସ ୧୨ ଓ ଅଧିନାୟକ କାଇଲ୍ ଜାଏଟଜର ୧୦ ରନ କରିଛନ୍ତି।

ଆଫଗାନିସ୍ତାନ ପକ୍ଷରୁ ମୁଜିବ ୨୦ ରନ ଦେଇ ୫ ଓ୍ଵିକେଟ୍ ଓ ରଶିଦ ଖାନ ୯ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି। ଏଥିସହ ଆଫଗାନିସ୍ତାନ ଟି-୨୦ ଇତିହାସରେ ନିଜର ସବୁଠୁ ବଡ ବିଜୟ  ହାସଲ କରିଛି। ଏହା ପୂର୍ବରୁ ୨୦୧୩ରେ ଦଳ କେନିଆକୁ ଏହି ସାରଜା ମଇଦାନରେ ୧୦୬ ରନରେ ହରାଇଥିଲା। ସେହି ପରି ଟି-୨୦ ବିଶ୍ଵ କପରେ ରନ ମାମଲାରେ ଏହା କୌଣସି ଦଳ ପକ୍ଷରୁ ତୃତୀୟ ସବୁଠୁ ବଡ ବିଜୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.