ସରିନି ଯୁଦ୍ଧ, ତାଲିବାନରେ ଉପରେ ଅଜ୍ଞାତ ସୈନ୍ୟ ବିମାନର ହମଲା

Published By : Prameya-News7 Bureau | September 07, 2021 IST

କାବୁଲ ୦୭/୦୯ : ପଞ୍ଜଶୀର ଘାଟୀକୁ ଗତ ତାଲିବାନ କବ୍‌ଜା କରିନେଇଥିବା ଦାବି କରିଥିଲେ ମଧ୍ୟ ଏଯାଏଁ ସରିନି ଲଢେଇ । ଶେଷ ହୋଇନି ଯୁଦ୍ଧ, ଜାରି ରହିଛି ସଂଘର୍ଷ । ଏହାରି ଭିତରେ ପଞ୍ଜଶୀର ଘାଟୀରେ କିଛି ଅଜ୍ଞାତ ସୈନ୍ୟ ବିମାନ ଆକ୍ରମଣ କରିଥିବା ସୂଚନା ମିଳିଛି । ତାଲିବାନୀଙ୍କ ଠିକଣାକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି ।

ଏହା ପୂର୍ବରୁ ସୋମବାର ତାଲିବାନୀମାନେ ପଞ୍ଜଶୀରରେ ପ୍ରବେଶ କରିଥିଲେ । ପଞ୍ଜଶୀରର ମୁଖ୍ୟ ପ୍ରବେଶ ପଥ ଓ ଗଭର୍ଣ୍ଣର ଅଫିସରେ ନିଜର ପତାକା ଉଡାଇଥିଲେ । କକେବଳ ସେତିକି ନୁହେଁ ତାଲିବାନୀମାନେ ଏକ ଭିଡିଓ ଜାରି କରି ପଞ୍ଜଶୀରକୁ ସମ୍ପୂର୍ଣ୍ଣ ରୂପେ ଦଖଲ କରିଥିବା ବି ଦାବି କରିଥିଲେ । ତେବେ ପଞ୍ଜଶୀରକୁ ସମ୍ପୂର୍ଣ୍ଣ ରୂପେ ନିଜ ଅକ୍ତିଆରକୁ ନେଇଥିବା ତାଲିବାନୀ ଦାବି କରିବା କିଛି ସମୟ ପରେ ନର୍ଦନ ଆଲାଏନ୍ସର ନେତା ଅହମ୍ମଦ ମାସୁଦଙ୍କ ପ୍ରତିକ୍ରିୟା ଆସିଥିଲା । ସେ ଏହାକୁ ଖଣ୍ଡନ କରିଥିଲେ ।

ନର୍ଦନ ଆଲାଏନ୍ସର ଯୋଦ୍ଧାମାନେ ରକ୍ତର ଶେଷ ବିନ୍ଦୁ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛନ୍ତି । ଏହାସହ ମଧ୍ୟ ଦାବି କରିଥିଲେ ଯେ, ପଞ୍ଜଶୀରର ଯୋଦ୍ଧାମାନେ ପାକିସ୍ତାନର ଜେଟ୍‌କୁ ଧ୍ଵଂସ କରିଛନ୍ତି । ସୂଚନା ଥାଉକି, ପଞ୍ଜଶୀର ଘାଟୀ ଆଫଗାନିସ୍ତାନର ଶେଷ ପ୍ରାନ୍ତରେ ଅବସ୍ଥିତ । ଏହି ଘାଟିକୁ ତାଲିବାନ ସମ୍ପୂର୍ଣ୍ଣ ରୂପେ ନିଜ ଅକ୍ତିଆରକୁ ନେଇଛି ବୋଲି କୁହାଯାଇ ପାରିବ ନାହିଁ ।

କାରଣ ନର୍ଦନ ଆଲାଏନ୍ସ ନାମକ ଏକ ସଙ୍ଗଠନ ତାଲିବାନୀଙ୍କ ସହ ଘମାଘୋଟ ଲଢେଇ କରୁଛି । ପଞ୍ଜଶୀର ପାହାଡ଼ ଉପରେ ଥିବା ନର୍ଦନ ଆଲାଏନ୍ସର ଯୋଦ୍ଧାମାନେ ଗରିଲା ଯୁଦ୍ଧ ଜରିଆରେ ତାଲିବାନୀଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି । ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବଂ ତାଲିବାନୀ ବିରୋଧୀ ଶାହ ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ନର୍ଦନ ଆଲାଏନ୍ସର ନେତୃତ୍ଵ ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.