ତାଲିବାନର ୬ ମିତ୍ର ଦେଶ : ସରକାର ଗଠନ ସମାରୋହରେ ସାମିଲ ହେବେ ଆମେରିକାର ଦୁଷ୍ମନ୍‌

Published By : Prameya-News7 Bureau | September 06, 2021 IST

କାବୁଲ ୦୬/୦୯ : ଆଫଗାନିସ୍ତାନରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ତାଲିବାନ । ତମାମ୍‌ ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ସୋମବାର ତାଲିବାନ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କାର୍ଯ୍ୟକ୍ରମରେ ଅନ୍ୟ କିଛି ଦେଶ ମଧ୍ୟ ନିମନ୍ତ୍ରିତ ହେବେ ବୋଲି ଜଣାପଡିଛି । ଏହା ସହିତ ତାଲିବାନକୁ ସମର୍ଥନ କରୁଥିବା ଦେଶମାନଙ୍କୁ ସରକାର ଗଠନରେ ସାମିଲ ହେବାକୁ ନିମନ୍ତ୍ରଣ ପତ୍ର ମଧ୍ୟ ପଠାଯାଇସାରିଛି ।

ତାଲିବାନକୁ ଅକୁଣ୍ଠ ସମର୍ଥନ ଦେଇଆସୁଥିବା ତୁର୍କୀ, ଚୀନ, ଋଷ, ଇରାନ, ପାକିସ୍ତାନ ଏବଂ କାତାରକୁ ନିମନ୍ତ୍ରିତ କରାଯାଇଛି । ଏହି ଦେଶଗୁଡିକ ଲଗାତାର ଭାବେ ତାଲିବାନକୁ ସମର୍ଥନ ଦେଇଆସୁଛନ୍ତି । ଏବେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିବାପରେ ଏହି ଦେଶମାନଙ୍କୁ ଡାକିଛି ତାଲିବାନ ।

ତେବେ କଥା ହେଉଛି ତାଲିବାନ ଦ୍ବାରା ଯେଉଁ ଦେଶମାନଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି ସେମାନଙ୍କ ମଧ୍ୟରୁ କାତାରକୁ ଛାଡି ବାକି ସମସ୍ତ ଦେଶ କୌଣସି ନା କୌଣସି କାରଣରୁ ଆମେରିକାର ଶତ୍ରୁ । ପୂର୍ବରୁ ଆଫଗାନିସ୍ତାନରୁ ତାଲିବାନ ଫେରିଯିବା ହିଁ ଏକ ବିଶାଳ ବିଜୟ ବୋଲି ତାଲିବାନ କହିସାରିଛି । ତେଣୁ ଏହି କାରଣରୁ ଆମେରିକା ସହିତ ଯେଉଁ କିଛି ଦେଶଙ୍କର ମତଭେଦ ରହିଛି ସେମାନଙ୍କୁ ଡାକିଛି ତାଲିବାନ ।

ଚାଇନା ଏବଂ ଋଷିଆ ସହିତ ଆମେରିକାର ଶୀତଳ ଯୁଦ୍ଧ ଜାରି ରହିଛି । ପାକିସ୍ତାନ ଏବଂ ଇରାନ ଉପରେ ମଧ୍ୟ କିଛି ନା କିଛି ପ୍ରତିବନ୍ଧକ ଲଗାଇଛି ଆମେରିକା । ତୁର୍କୀ ସହିତ ମଧ୍ୟ ଟ୍ରମ୍ପ ସରକାରଙ୍କ କଥା କଟାକଟି ହେବା ସହିତ ମାମଲା ଗମ୍ଭୀର ହୋଇଥିଲା । କାବୁଲ ରାଷ୍ଟ୍ରପତି ଭବନରେ ତାଲିବାନ ସରକାର ଗଠନ ହେବା ଏକପ୍ରକାର ଥୟ । ମୁଲ୍ଲା ବରାଦରକୁ ତାଲିବାନୀ ସରକାରର ପ୍ରମୁଖ ଭାବେ ଘୋଷଣା କରାଯାଇଛି । ସେହିଭଳି ମୁଲ୍ଲା ହିବ୍‌ତୁଲ୍ଲା ଅଖଣ୍ଡଜାଦାକୁ ସୁପ୍ରିମ ଲିଡର କରାଯାଇପାରେ ।

ତାଲିବାନ ପ୍ରବକ୍ତା ଜବୀଉଲ୍ଲାହ ମୁଜାହିଦ ପ୍ରେସ କନଫରେନ୍ସରେ କହିଛନ୍ତି, ସାରା ବିଶ୍ବର ଦେଶମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି ତାଲିବାନ । ଚୀନ ଆମ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦେଶ । ଆଫଗାନିସ୍ତାନକୁ ଆଗକୁ ବଢିବାକୁ ଚୀନର ସହାୟତା ନିତାନ୍ତ ଆବଶ୍ୟକ ।

ସେପଟେ ଶୁଣିବାକୁ ମିଳୁଛି ଯେ ତାଲିବାନ ଏବଂ ହକ୍କାନୀ ନେଟଓ୍ବର୍କ୍ ମଧ୍ୟରେ ସତ୍ତାକୁ ନେଇ କିଛି ବିବାଦ ଲାଗିରହିଛି । ତେବେ ଖୁବଶୀଘ୍ର ସରକାର ଗଠନ ହେବବୋଲି ସଙ୍କେତ ଦେଇଛି ତାଲିବାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.