ଭାରତରେ ଆଫଗାନି ଆତଙ୍କବାଦୀ ! ଆଲର୍ଟ ଜାରି କଲା ଗୁଇନ୍ଦା ସଂସ୍ଥା, ଟାର୍ଗେଟରେ ସେନା ଶିବିର ଓ ସରକାରୀ ସଂସ୍ଥା

Published By : Prameya-News7 Bureau | September 23, 2021 IST

ନୂଆଦିଲ୍ଲୀ ୨୩/୦୯ : ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ପ୍ରଥମଥର ଆଫଗାନି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଖବର ଆସିଛି। ଗୁଇନ୍ଦା ସଂସ୍ଥା ଆଲର୍ଟ ଜାରି କରିଛି। କୌଣସି ବଡ ଧରଣର ହମଲାକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ସୂତ୍ର ଅନୁଯାୟୀ, ଆତଙ୍କବାଦୀ ସେନା ଶିବିର କିମ୍ବା ବଡ ସରକାରୀ ସଂସ୍ଥାକୁ ଟାର୍ଗେଟ କରିଥାଇପାରନ୍ତି।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଉରୀ ସେକ୍ଟରର ଏକ ପୋଷ୍ଟରେ ତାର କାଟି ଆଫଗାନ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଯାଇଛି। ଆଫଗାନ ଆତଙ୍କବାଦୀ ଭାରତରେ ପ୍ରବେଶ କରାଇ ଫେରିବା ସମୟରେ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ଭାରତୀୟ ସୁରକ୍ଷାବଳର ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଠାରୁ ଘାତକ ଅସ୍ତ୍ର ଜବତ କରାଯାଇଛି। ଗୁଇନ୍ଦା ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ୨୦୨୧ ସେପ୍ଟେମ୍ବର ୧୮ ତାରିଖରେ ୫ ଆଫଗାନ ଆତଙ୍କବାଦୀ ଉରୀ ସେକ୍ଟରର ଏକ ପୋଷ୍ଟରୁ ଭାରତକୁ ଅନୁପ୍ରବେଶ କରିଛନ୍ତି।

ସୂତ୍ର ଅନୁଯାୟୀ, ସେନା ଦ୍ୱାରା ଉରୀ ସେକ୍ଟରରେ ତଲାସୀ ଅଭିଯାନ ଜାରି ରହିଛି। ଏହି ୫ ଆତଙ୍କବାଦୀ ଆଫଗାନିସ୍ତାନରୁ ଆସିଛନ୍ତି। ସେଥିପାଇଁ କାଶ୍ମୀରରେ ଲୋକଙ୍କ ସହ ସହଜରେ ମିଶି ପାରିବେନି। ସୁରକ୍ଷାବଳ ଲଗାତାର ଏମାନଙ୍କୁ ତଲାଶ କରୁଛି। ସବୁ ସନ୍ଦିଗ୍ଧ ସ୍ଥାନରେ ଚଢ଼ଉ କରୁଛି। ତାଛଡା ଯେଉଁମାନେ ଏମାନଙ୍କୁ ଶରଣ ଦେବାର ଆଶଙ୍କା ରହିଛି ସେମାନଙ୍କୁ ପଚରାଉଚୁରା କରାଯାଉଛି। ସେନା ଶିବିର ଓ ବଡ ବଡ ସରକାରୀ ସଂସ୍ଥାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.