ପତ୍ନୀଙ୍କ ଚିକିତ୍ସା ପାଇଁ ଆସି ସଂକ୍ରମିତ ହେଲେ: ପତ୍ନୀ ଫେରିଗଲେ ନିଜ ଦେଶ, ଭାରତରେ ରହିଗଲା ସ୍ୱାମୀଙ୍କ ଶବ

Published By : Prameya-News7 Bureau | May 02, 2021 IST

ନୂଆଦିଲ୍ଲୀ ୦୨/୦୫ : ମଧ୍ୟ ଦିଲ୍ଲୀର ନବୀ କରିମ ସ୍ଥିତ ଏକ ହୋଟେଲରେ ଆଫଗାନିସ୍ଥାନ ସେନାର ଅବସରପ୍ରାପ୍ତ ମେଜର ଜେନେରାଲଙ୍କ ମୃତ୍ୟୁ ହୋଇଗଲା। ପୋଲିସ ଆଫଗାନିସ୍ଥାନରେ ଥିବା ତାଙ୍କ ପରିବାରକୁ ଯୋଗାଯୋଗ କରିବାରୁ ପରିବାର ଲୋକେ ଭାରତ ଆସିବାକୁ ଅସମର୍ଥ ବୋଲି କହିଥିଲେ। ଏହାପରେ ଆଫଗାନିସ୍ଥାନ ଦୂତାବାସ ଅଧିକାରୀଙ୍କ ଉପସ୍ଥିତିରେ ଦିଲ୍ଲୀ ପୋଲିସ ଦିଲ୍ଲୀ ଗେଟ ସ୍ଥିତ କବରସ୍ଥାନରେ ମହମ୍ମଦ ରହିମ ବର୍ଧକଙ୍କର ସମ୍ପୂର୍ଣ୍ଣ ସମ୍ମାନ ସହ ଅନ୍ତିମ ସଂସ୍କାର କରିଥିବା।

ମହମ୍ମଦ ରହିମ ମାର୍ଚ୍ଚ ୨୦ ତାରିଖରେ ନବୀ କରିମର ଏକ ହୋଟେଲରେ ରହିଥିଲେ। ସେ ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଆସିଥିଲେ। ଦିଲ୍ଲୀରେ ସେ କରୋନାରେ ଆକ୍ରାନ୍ତ ହୋଇଗଲେ ଓ ତାଙ୍କର ମୃତ୍ୟୁ ହୋଇଗଲା। ରହିମଙ୍କ ପତ୍ନୀ ଏପ୍ରିଲ ୨୪ ତାରିଖରେ ନିଜ ଦେଶକୁ ଫେରିଯାଇଥିଲେ।

ସୂଚନା ଅନୁଯାୟୀ, ରହିମଙ୍କ ପତ୍ନୀ କ୍ୟାନସରରେ ପୀଡିତ ଥିଲେ। ମାର୍ଚ୍ଚ ୨୦ ରେ ସେ ନିଜ ପତ୍ନୀଙ୍କୁ ନେଇ ଭାରତ ଆସିଥିଲେ। ଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କ ପତ୍ନୀଙ୍କ ଚିକିତ୍ସା ଚାଲିଥିଲା। ଏପ୍ରିଲ ୨୦ ରେ ରହିମ କରୋନାରେ ସଂକ୍ରମିତ ହୋଇଗଲେ। ଏପ୍ରିଲ ୨୩ ତାରିଖରେ ହୋଟେଲରେ ତାଙ୍କର ମୃତ୍ୟୁ ହୋଇଗଲା। ତାଙ୍କ ପତ୍ନୀ ସେତେବେଳେ ହସ୍ପିଟାଲରେ ଥିଲେ। ସେ ରହିମଙ୍କୁ ଯୋଗାଯୋଗ କରିବାକୁ ବହୁତ ଚେଷ୍ଟା କଲେ କିନ୍ତୁ ତାଙ୍କ ଯୋଗାଯୋଗ କରିପାରିନଥିଲେ। ଫଳରେ ସେ ଦୂତାବାସ ସାହାଯ୍ୟରେ ୨୪ ତାରିଖରେ ନିଜ ଦେଶକୁ ଫେରିଗଲେ। ହୋଟେଲ କର୍ତୃପକ୍ଷଙ୍କ ଠାରୁ ରହିମଙ୍କ ମୃତ୍ୟୁ ଖବର ପାଇବା ପରେ ପୋଲିସ ଆସି ତାଙ୍କ ଶବ ଶବଗୃହରେ ରଖିଦେଇଥିଲେ।

ଦୂତାବାସ ଜରିଆରେ ପୋଲିସ ରହିମଙ୍କ ପରିବାରକୁ ଯୋଗାଯୋଗ କରିଥିଲା। ରହିମଙ୍କ ପୁଅ ଭାରତ ଆସିପାରିବେନି କହିଥିଲେ। ଫଳରେ ଦୂତାବାସ ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ ୨୭ ତାରିଖରେ ରହିମ ଶବକୁ କବର ଦେଇଥିଲା। ଯାଞ୍ଚ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ରହିମ ଆଫଗାନିସ୍ଥାନ ସେନାର ଜଣେ ବଡ ଅଧିକାରୀ ଥିଲେ। ସେ ଅନେକ ମେଡାଲ ମଧ୍ୟ ପାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.