ପୁଣି ଲେଉଟିଲା ଏଇଏସ୍! ବିହାରରେ ବଢୁଛି ଶିଶୁ ମୃତ୍ୟୁ

Published By : Prameya-News7 Bureau | June 04, 2020 IST

ମୁଜଫରପୁର ୪।୬: ମୌସୁମୀ ଆଗମନ ପୂର୍ବରୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିହାରର ଶିଓହର, ସମସ୍ତିପୁର, ମୁଜଫରପୁର ଓ ଅନ୍ୟ ଆଖପାଖ ଜିଲ୍ଲାରେ ଆକ୍ୟୁଟ୍ ଏନସେଫାଲାଇଟିସ୍ ସିଣ୍ଡ୍ରୋମ ବା ଏଇଏସ୍ ଜ୍ୱର ବ୍ୟାପିବା ଆରମ୍ଭ ହୋଇଥିବାର ଆଶଙ୍କା କରାଯାଉଛି। ଏ ନେଇ ସ୍ପଷ୍ଟ ସୂଚନା ମିଳି ନଥିଲେ ହେଁ  ଗତ କିଛି ଦିନମଧ୍ୟରେ ଅଜଣା ଜ୍ୱରରେ ଅନୁନ୍ୟ ୪୩ ଜଣ ଶିଶୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହେଲାଣି। ଗୁରୁବାର ଆଉ ୨ ଜଣ ଶିଶୁଙ୍କ ମୃତ୍ୟୁ ପରେ ଗତବର୍ଷର ପରିସ୍ଥିତିକୁ ପୁଣି ମନେ ପକାଇ ଦେଇଛି।

ଗୁରୁବାର ଶିଓହର ଜିଲ୍ଲାର ତାରିୟାନୀ ବ୍ଲକ୍ ସୋନବର୍ଷାର ଏକ ୧୮ ମାସର ଶିଶୁ ଦିଲ ରାୟ ଓ ସମସ୍ତିପୁର ଜିଲ୍ଲା କୁବୌଲୀ ବଙ୍ଗରା ଗାଁର ୩ ବର୍ଷର ବାଳିକା ତିତଲି କୁମାରୀଙ୍କୁ ଅଭିଭାବକ କେଜରୀୱାଲ ହସ୍ପିଟାଲକୁ ଆଣିଥିଲେ। ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ବେଳେ ହସ୍ପିଟାଲରେ ଉଭୟ ଶିଶୁଙ୍କ ମୃତ୍ୟୁ ହୋଇଛି। ସେପଟେ ଏସକେଏମସିଏଚ୍ ପିଆଇସିୟୁରେ ସକରା ମହମ୍ମଦପୁର ଗାଁର ୩ ବର୍ଷର ବାଳକ ମହମ୍ମଦ କୈଫର ଚିକିତ୍ସା ଜାରି ଥିବା ଜଣାପଡିଛି। କୈଫ ଏଇଏସ୍‌ରେ ଆକ୍ରାନ୍ତ ଥିବାର ଅନୁମାନ କରାଯାଉଛି।

ଗତବର୍ଷ ଏହି ସମୟରେ ବିହାର ଶ୍ରୀକୃଷ୍ଣ ମେମୋରିଆଲ ମେଡିକାଲକଲେଜ ହସ୍ପିଟାଲ ଏଇଏସ୍ ଆକ୍ରାନ୍ତ ଶିଶୁରେ ଭରି ଯାଇଥିଲା। କେବଳ ଏହି ଗୋଟିଏ ମେଡିକାଲ କଲେଜ୍ ହସ୍ପିଟାଲ ନୁହେଁ ଅନ୍ୟ ପ୍ରମୁଖ ହସ୍ପିଟାଲରେ ମଧ୍ୟ ଏପରି ରୋଗୀଙ୍କ ସଂଖ୍ୟା ବଢି ଚାଲିବା ସହ ମୃତ୍ୟୁ ଯୋଗୁ ପରିସ୍ଥତି ଅଣାୟତ୍ତ ହୋଇପଡିଥିଲା। ତେବେ ଚଳିତବର୍ଷ ଏପର୍ଯ୍ୟନ୍ତ ବିଭିନ୍ନ ମେଡିକାଲକୁ ସ୍ଥାନୀୟ ଭାଷାରେ ଚମକି ବୁଖାର ଲକ୍ଷଣ ଥିବା ୪୩ ଜଣ ଶିଶୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ଥିବାର କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.