ଆଜିଠାରୁ କୋର୍ଟ କାର୍ଯ୍ୟରେ ଯୋଗ ଦେଇଛନ୍ତି ହାଇକୋର୍ଟର ଆଇନଜୀବୀ

Published By : Prameya-News7 Bureau | November 04, 2019 IST

କଟକ ୪/୧୧: ଆନ୍ଦୋଳନରୁ ଓହରି ଆଜିଠାରୁ କୋର୍ଟ କାର୍ଯ୍ୟରେ ଯୋଗ ଦେଇଛନ୍ତି ହାଇକୋର୍ଟର ଆଇନ୍‌ଜୀବୀ ମାନେ। ତେଣୁ ଆଜିଠାରୁ ହାଇକୋର୍ଟରେ ସ୍ଥିତି ସ୍ବାଭାବିକ ହୋଇଛି। କିନ୍ତୁ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଚାଲିଥିବା ଅଦାଲତ ଅବମାନନା ମାମଲାରେ ପୁର୍ଣ୍ଣଛେଦ ପଡିନାହିଁ। ଉକ୍ତ ମାମଲାର ଶୁଣାଣୀ ପାଇଁ  ଆଜି ପୁଣିଥରେ ହାଇକୋର୍ଟର ଫୁଲ ବେଞ୍ଚ ବସିଛନ୍ତି। ହାଇକୋର୍ଟ ବାର ବିରୋଧରେ ଥିବା ଅଦାଲତ ଅବମାନନା ମାମଲାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି ଫୁଲ ବେଞ୍ଚ। ହେଲେ ଆନ୍ଦୋଳନରୁ ଓହରିବାକୁ ରୋକ୍‌ଠୋକ୍‌ ଭାବେ ମନା କରିଦେଇଛନ୍ତି ପଶ୍ଚିମ ଓଡିଶାର ୩୨ ଟି ଓକିଲ ସଂଘ , ତେଣୁ ସେ ସମ୍ପର୍କରେ ହାଇକୋର୍ଟଙ୍କ କି ଆଭିମୁଖ୍ୟ ରହିବ , ସେଥିଲାଗି ଆସନ୍ତା ୨୭ ତାରିଖକୁ ଦିନ ଧାର୍ଯ୍ୟ ହୋଇଛି।

{"id":178983}

ସମସ୍ତ କଥାକୁ ପଛରେ ପକାଇ ଆଜି ଠାରୁ କୋର୍ଟ କାର୍ଯ୍ୟରେ ଯୋଗ ଦେଇଛନ୍ତି ହାଇକୋର୍ଟର ଆଇନଜୀବୀ ମାନେ  ଏବଂ  ଏ ସଂକ୍ରାନ୍ତରେ ବାର ଆସୋସିଏସନ ତରଫରୁ ଆଜି ହାଇକୋର୍ଟର ଫୁଲବେଞ୍ଚଙ୍କୁ ଅବଗତ କରାଯାଇଛି। ତେଣୁ ବାର ବିରୋଧରେ ଥିବା ଅଦାଲତ ଅବମାନନା ମାମଲାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଗଲା ବୋଲି  ଆଜି ବସିଥିବା ହାଇକୋର୍ଟର ଫୁଲ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି, ଏହା କହିଛନ୍ତି  ହାଇକୋର୍ଟ ବାର ଆସୋସିଏସନର ସଭାପତି।

{"id":178984}

ରାଜ୍ୟର ବିଭିନ୍ନ ବାର ଆସୋସିଏସନ ତରଫରୁ ବାରମ୍ବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଥିବା ହେତୁ ଅନେକ ସମୟରେ କୋର୍ଟ କାର୍ଯ୍ୟ ପ୍ରଭାବିତ ହେଉଛି। ଯାହାକୁ ଆଧାର କରି ହାଇକୋର୍ଟ ନିଜ ଆଡୁ ୬୮ ଟି ବାର ଆସୋସିଏସନ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ଆଜି ଏହି ମାମଲାର ଶୁଣାଣୀ ପାଇଁ ୩ୟ ଥର ଲାଗି ହାଇକୋର୍ଟର ଫୁଲ ବେଞ୍ଚ ବସିଥିଲେ।. ତେବେ ଅଦାଲତ ଅବମାନନା ମାମଲାରୁ ହାଇକୋର୍ଟ  ବାର ସାମୟିକ ଭାବେ ମୁକ୍ତି ପାଇଛି ସତ କିନ୍ତୁ ପଶ୍ଚିମ ଓଡିଶାର ୩୨ ଟି ବାର ଆସୋସିଏସନ ନିଜ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସେଣ୍ଟ୍ରାଲ ଆକ୍ସନ କମିଟି ତରଫରୁ ଆଜି କୋର୍ଟରେ କୁହାଯାଇଛି। ତେଣୁ ଆସନ୍ତା ୨୭ ତାରିଖରେ ହୁଏତ ହାଇକୋର୍ଟ ଏହା ଉପରେ କିଛି ନିଷ୍ପତ୍ତି ନେଇ ପାରନ୍ତି।

{"id":178985}

ଓକିଲ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି  ଯାହା ଉପରେ ଜବାବ ରଖିବାଲାଗି ଆସନ୍ତା ୮ ତାରିଖରେ ହାଇକୋର୍ଟ ବାର ସଭାପତି ଏବଂ ଷ୍ଟେଟ ବାର କାଉନସିଲ୍‌ ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର ହେବେ ।  

{"id":178986}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.