କୋର୍ଟରେ ଆଇନଜୀବୀଙ୍କୁ ଗୁଳି କରି ହତ୍ୟା : ତୃତୀୟ ମହଲାରୁ ମିଳିଲା ମୃତଦେହ, ପାଖରେ ପଡିଛି ବନ୍ଧୁକ

Published By : Prameya-News7 Bureau | October 18, 2021 IST

ଲକ୍ଷ୍ନୌ, ୧୮/୧୦:  ଉତ୍ତରପ୍ରଦେଶର ଶାହାଜାହାନପୁରରେ ଜଘନ୍ୟ ହତ୍ୟାକାଣ୍ଡ । କୋର୍ଟ ଭିତରେ ଓକିଲଙ୍କୁ ଗୁଳି କରି ହତ୍ୟା ।  ଓକିଲଙ୍କ ମୃତଦେହ କୋର୍ଟର ତୃତୀୟ ମହଲାରୁ ଠାବ ହୋଇଛି । ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନ ଖେଳିଯାଇଛି ।

ସୂଚନାନୁସାରେ, ଶାହଜାହାନପୁରର ଇଦଗାହରେ ରହୁଥିବା ଭୁପେନ୍ଦ୍ର ପ୍ରତାପ ସିଂ ଦୁଇବର୍ଷ ହେଲା ଓକିଲାତି କରୁଥିଲେ । ଏହାପୂର୍ବରୁ ସେ ଶିକ୍ଷକ ଥିଲେ । ସୋମବାର ଭୁପେନ୍ଦ୍ରଙ୍କ ମୃତଦେହ କୋର୍ଟର ତୃତୀୟ ମହଲାରୁ ଠାବ କରାଯାଇଥିଲା । ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି । ଦୁର୍ବୃତ୍ତମାନେ ଗୁଳି କରିବା ପରେ ଦେଶୀ ବନ୍ଧୁକକୁ ଘଟଣାସ୍ଥଳରେ ଫିଙ୍ଗି ଫେରାର ହୋଇଯାଇଛନ୍ତି ।

କୁହାଯାଉଛି ଯେ, ଭୁପେନ୍ଦ୍ର ତୃତୀୟ ମହଲାର ରେକର୍ଡ ରୁମରେ କୌଣସି କାଗଜପତ୍ର ଯାଞ୍ଚ କରୁଥିଲେ । ଏଠାରେ ଅଧିକ ଲୋକଙ୍କ ଚଳପ୍ରଚଳ ନଥାଏ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଥାଇପାରନ୍ତି । ତାଙ୍କ ପିଠିରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି ।

ଖବର ପ୍ରକାଶ ପରେ ଜିଲ୍ଲା ଏସପି, ଏଏସପି ଆଦି ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଁଚିଛନ୍ତି । ତେବେ ଘଟଣା ପରେ ଅନ୍ୟ ଓକିଲମାନେ ଦୋଷୀକୁ ଗିରଫ ଦାବିରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ, ଭୁପେନ୍ଦ୍ର ୧୮ଟି ମାମଲାରେ ଉପରେ କାମ କରୁଥିଲେ । ତେବେ ତାଙ୍କୁ କିଏ ଓ କାହିଁକି ମାରିଲା ତାହା ଅସ୍ପଷ୍ଟ ରହିଛି । ପୋଲିସ ସିସିଟିଭି ଯାଞ୍ଚ କରିବା ସହ ଅନ୍ୟ ଓକିଲଙ୍କୁ ପଚରାଉଚୁରା କରି ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.