ଗୃହ ମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ: ଆତଙ୍କିତ ଅବସ୍ଥାରେ ଫେରୁଥିବା ଶ୍ରମିକଙ୍କୁ ସାହାଯ୍ୟ ଲାଗି ସବୁ ରାଜ୍ୟକୁ ନିର୍ଦ୍ଦେଶ

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ ୨୮।୩: କରୋନାକୁ ନେଇ ସାରା ବିଶ୍ବରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତେବେ ଦୂରଦୂରାନ୍ତରୁ ଆସି ମେଟ୍ରୋ ସହରରେ କାମ କରୁଥିବା ଶ୍ରମିକଙ୍କ ଉପରେ ଏହି ଲକ୍ ଡାଉନ୍ ର ପ୍ରଭାବ ସବୁଠାରୁ ଅଧିକ ପଡିଛି । ଗାଡି ଚାଲୁ ନଥିବା ଯୋଗୁଁ ସେମାନେ ପାଦରେ ଚାଲି ଚାଲି ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି |

ସେମାନଙ୍କର ଏଭଳି ଅସହାୟ ଅବସ୍ଥାକୁ ଗୃହ ମନ୍ତ୍ରାଳୟ ଗୁରୁତ୍ବର ସହ ନେଇଛି । ଏନେଇ ଏକ ଆଡଭାଇଜରୀ ଜାରି କରାଯାଇଛି । ଶ୍ରମିକମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । COVID-19 କୁ ଦୃଷ୍ଟିରେ ରଖି SDRF ର ପାଣ୍ଠି ଆବଣ୍ଟନ ଅଧୀନରେ ସେମାନଙ୍କ ପାଇଁ ସ୍ଥାୟୀ ଗୃହ, ଖାଦ୍ୟ, ପୋଷାକ ଏବଂ ଚିକିତ୍ସା ଆଦିର ଧ୍ୟାନ ରଖିବାକୁ କୁହାଯାଇଛି ।

ଏହାପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ବିଟ୍ କରି ରାଜ୍ୟ ସୀମା ଆଡକୁ ପାଦରେ ଚାଲି ଚାଲି ତଥା ଅନ୍ୟ ରାଜ୍ୟକୁ ପାଦରେ ଚାଲି ଚାଲି ଯାଉଥିବା ଶ୍ରମିକ ଓ କର୍ମଚାରୀମାନଙ୍କୁ ସାହାଯ୍ୟ କରାଯିବ ବୋଲି କହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନା ଭାଇରସ୍ ରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୮୦୦ ଅତିକ୍ରମ କରିଛି । ତେବେ ଏପର୍ଯ୍ୟନ୍ତ ୬୯ ସଂକ୍ରମିତ ଲୋକ ସୁସ୍ଥ ହୋଇଛନ୍ତି ।

କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧିକୁ ରୋକିବାକୁ କେନ୍ଦ୍ର ସରକାର ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଶନିବାର ହେଉଛି ଚତୁର୍ଥ ଦିନ | ଏହି ସମୟରେ ଯଦି କୌଣସି ବ୍ୟକ୍ତି ଜରୁରୀକାଳୀନ ପରିସ୍ଥିତି ନହୁଏ ତେବେ ବାହାରେ ରାସ୍ତାରେ ବୁଲାବୁଲି କରିପାରିବେ ନାହିଁ | ଯେଉଁମାନେ ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.