Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଷ୍ଟାଚ୍ୟୁ ଅଫ୍ ୟୁନିଟି ବିକ୍ରି ପାଇଁ OLXରେ ବିଜ୍ଞାପନ, ରୁଜୁ ହେଲା ମାମଲା

6/04/2020 at 11:17 PM

ନୂଆଦିଲ୍ଲୀ ୬।୪: ଦେଶରେ କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ଭାବେ ବଢି ବଢି ଚାଲିଛି । କରୋନା ଭାଇରସ୍ ମୁକାବିଲା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ କରାଯାଇଛି । ଦେଶର ଏମିତି ପରିସ୍ଥିତିରେ ଗୁଜୁରାଟରେ ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ବିକ୍ରୟ ସହ ଜଡିତ ଏକ ଅନଲାଇନ୍ ବିଜ୍ଞାପନ ଆସିଥିବା ଦେଖିବାକୁ ମିଳିଛି । ଦେଶ ଯେତେବେଳେ କରୋନା ଭାଇରସ୍ ମହାମାରୀର ସମ୍ମୁଖୀନ ହେଉଛି ସେତେବେଳେ ଅନଲାଇନ୍ ୱେବସାଇଟ୍ OLXରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ବିକ୍ରୟ ପାଇଁ ଏକ ବିଜ୍ଞାପନ ଦିଆଯାଇଛି । ଷ୍ଟାଚ୍ୟୁ ଅଫ୍ ୟୁନିଟିର ବିକ୍ରୟ ବିଜ୍ଞାପନକୁ ନେଇ ହଇଚଇ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ଅନଲାଇନ୍ ୱେବସାଇଟ୍ OLXରେ ଏକ ବିଜ୍ଞାପନ ପୋଷ୍ଟ କରାଯାଇଥିଲା । ଯେଉଁଥିରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ବିକ୍ରି ପାଇଁ କୁହାଯାଇଥିଲା । ଏହି ବିଜ୍ଞାପନରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ୩୦ ହଜାର କୋଟିରେ ବିକ୍ରି ପାଇଁ ରଖାଯାଇଥିଲା । ଆହୁରି ମଧ୍ୟ ଲେଖାଯାଇଛି ଯେ ଗୁଜୁରାଟ ସରକାର କରୋନା ଭାଇରସ୍ ମୁକାବିଲା ଲାଗି ଡାକ୍ତରଖାନା ଏବଂ ଚିକିତ୍ସା ଉପକରଣ ପାଇଁ ଟଙ୍କା ଆବଶ୍ୟକ କରୁଛନ୍ତି ।

ଏହି ମାମଲା ସାମ୍ନାକୁ ଆସିବା ପରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କେଭାଡିଆ କଲୋନୀ ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ କରିଛି । ଅଜ୍ଞାତ ବ୍ୟକ୍ତି ଏବଂ OLX କମ୍ପାନୀ ବିରୋଧରେ ପ୍ରଶାସନ ଏକ ମାମଲା ରୁଜୁ କରିଛି । ଏନେଇ ଡେପୁଟି କଲେକ୍ଟର ନୀଲେଶ ଦୁବେ କହିଛନ୍ତି ଯେ, OLX କମ୍ପାନୀ ସହ କଥା ହୋଇ ଏହି ବିଜ୍ଞାପନକୁ ହଟାଇ ଦିଆଯାଇଛି । ତେବେ ୱେବସାଇଟରେ କିଏ ଏପରି ବିଜ୍ଞାପନ ଦେଇଛି ତାର ଅନୁସନ୍ଧାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଷ୍ଟାଚ୍ୟୁ ଅଫ୍ ୟୁନିଟି ହେଉଛି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି । ତାଙ୍କର ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୧୮୨ ମିଟର ଅଟେ । ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଥିଲେ ।

   Related Posts