ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ସାବାଳିକା ନିଜ ଇଚ୍ଛାରେ ଯେ କୌଣସି ସ୍ଥାନରେ ଓ କାହା ସହିତ ବି ରହିପାରିବେ
25/11/2020 at 10:48 PM

ନୂଆଦିଲ୍ଲୀ ୨୫/୧୧: ଦିଲ୍ଳୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ବୟସ୍କ ମହିଳା (ସାବାଳିକା)ଙ୍କୁ ନେଇ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଏବେ ଚର୍ଚ୍ଚା ସୃଷ୍ଟି କରିଛି। ବୟସ୍କ ମହିଳା ନିଜ ଇଚ୍ଛାରେ ଯେକୌଣସି ବ୍ୟକ୍ତିଙ୍କ ସହ ରହିପାରିବେ ବୋଲି ହାଇକୋର୍ଟ ରାୟ ଶୁଣାଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ ଜଣେ ଯୁବତୀଙ୍କ ପରିବାର ନିଜ ଝିଅଙ୍କୁ ହାଜର କରିବା ପାଇଁ ବନ୍ଦୀ ପ୍ରତ୍ୟେକ୍ଷୀକରଣ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଶୁଣାଣି କରି କୋର୍ଟ ଏଭଳି ରାୟ ଶୁଣାଇଛନ୍ତି।
ଯୁବତୀଙ୍କ ପରିବାର କହିଥିଲେ ଯେ ସେ ଗାଏବ ହୋଇଯାଇଛନ୍ତି। କିନ୍ତୁ ଯୁବତୀଜଣଙ୍କ କୋର୍ଟରେ ନିଜେ ହାଜର ହୋଇ କହିଥିଲେ ଯେ ନିଜ ପରିବାରଠୁ ଦୂରକୁ ନିଜ ଇଚ୍ଛାରେ ଯିବା ସହ ଜଣେ ବ୍ୟକ୍ତିଙ୍କୁ ବିବାହ କରି ରହୁଛନ୍ତି। ଯୁବତୀ ସେକ୍ସନ ୧୬୪ରେ ନିଜର ବୟାନ ମଧ୍ୟ ରେକର୍ଡ କରିଛନ୍ତି।
ଯୁବତୀ ଜଣଙ୍କ ଗାଏବ ନୁହେଁ ବରଂ ନିଜ ଇଚ୍ଛାରେ ଘର ଛାଡ଼ି ଯାଇଥିବା ଜାଣିବା ପରେ କୋର୍ଟ ମାମଲାର ରାୟ ଶୁଣାଇଥିଲେ। କୋର୍ଟ କହିଥିଲେ ଯେକୌଣସି ବୟସ୍କ ମହିଳାଙ୍କର ଯେକୌଣସି ସ୍ଥାନକୁ ଓ ଯାହା ସହ ବି ଯିବାର ଅଧିକାର ରହିଛି। ମାମଲାର ଶୁଣାଣି ବେଳେ କୋର୍ଟ ଜାଣିବାକୁ ପାଇଥିଲେ ଯୁବତୀଙ୍କ ଜନ୍ମ ୨୦୦୦ ମସିହାରେ ହୋଇଛି। ତାଙ୍କ ବୟସ ଏବେ ୨୦ ବର୍ଷ। ଏଭଳି ସ୍ଥିତିରେ ପରିବାର ଲୋକ ତାଙ୍କ ଉପରେ କୌଣସି ଚାପ ପକାଇପାରିବେ ନାହିଁ ବୋଲି କୋର୍ଟ କହିଥିଲେ।