ଭୁବନେଶ୍ବର ୨୮|୪: ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ସରିଥିବାବେଳେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ତେବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଛି ସମସ୍ତ ପର୍ଯ୍ୟାୟ ନିର୍ବାଚନର ଏଡିଆର ରିପୋର୍ଟ । ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ଓ୍ଵାଚ ରାଜ୍ୟର ସମସ୍ତ ପର୍ଯ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ପ୍ରାର୍ଥୀମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଆଦି ପୃଷ୍ଠଭୂମି ଉପରେ ବିଶ୍ଳେଷଣ କରାଯାଇଛି ।
ରିପୋର୍ଟ ଅନୁଯାୟୀ ସବୁଠୁ ଧନୀ ତାଲିକାରେ ଅଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ବବି ମହାନ୍ତି, କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟର ସମସ୍ତ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରେ ସର୍ବାଧିକ ଧନୀ ପ୍ରାର୍ଥୀ ଅଛନ୍ତି । ବିଜେଡିରେ ୬୬ ପ୍ରତିଶତ ପ୍ରାର୍ଥୀ ରହିଛନ୍ତି କୋଟିପତି। ଦ୍ବିତୀୟ ସ୍ଥାନରେ ରହିଛନ୍ତି ରହିଛି କଂଗ୍ରେସ । କଂଗ୍ରେସରେ ୫୩ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି। ତୃତୀୟ ସ୍ଥାନରେ ରହିଛି ଭାଜପା। ବିଜେପିରେ ୫୨ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି।
ସେହିପରି ୨୦୧୪ ଅପେକ୍ଷା ୨୦୧୯ରେ ନେତାଙ୍କ ଅପରାଧୀକ ମାମଲା ସଂଖ୍ୟାରେ ବୃଦ୍ଧି ପାଇଛି। ଗତ ନିର୍ବାଚନରେ ନେତାଙ୍କ ନାଁରେ ଅପରାଧିକ ମାମଲା ୨୩ ପ୍ରତିଶତ ରହିଥିବାବେଳେ ଏଥର ଏହା ୩୦ ପ୍ରତିଶତକୁ ବୃଦ୍ଧି ପାଇଛି।ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ଭିତରେ ବିଜେଡିରେ ୪୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି। କଂଗ୍ରେସରେ ୪୬ ପ୍ରତିଶତ ଓ ବିଜେପିରେ ୫୯ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା।