ପରଲୋକରେ ଆଡୋବ୍‌ର ପ୍ରତିଷ୍ଠାତା ଚାର୍ଲସ୍ ଜେସ୍କି, ନିଜକୁ କହୁଥିଲେ ବିଶ୍ୱର ସବୁଠାରୁ ଭାଗ୍ୟଶାଳୀ ବ୍ୟକ୍ତି

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ,୧୯/୦୪: ଆଜିକାଲି ସମସ୍ତେ କମ୍ପ୍ୟୁଟରରେ କୌଣସି ଡକ୍ୟୁମେଣ୍ଟ ଫାଇଲକୁ ପିଡିଏଫ ଫର୍ମାଟରେ ପଠାଇଥାନ୍ତି । ଏହି ପିଡିଏଫ ଓ ଆଡୋବ୍ ରିଡରର ଡେଭଲପର୍ ଚାର୍ଲସ୍ ଚକ୍ ଜେସ୍କି ଶୁକ୍ରବାର ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଜେସ୍କି ଆଡୋବ୍ କମ୍ପାନୀକୁ ପ୍ରତିଷ୍ଠା ମଧ୍ୟ କରିଥିଲେ । ସେ ସାନଫ୍ରାନସିସକୋରେ ରହୁଥିଲେ । ଜେସ୍କିଙ୍କ ଦେହାନ୍ତ ଏକ ବଡ ଆଘାତ ଦେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଆଡୋବର ସିଇଓ ତଥା ଭାରତୀୟ ବଂଶୋଦ୍ଭବ ସାନ୍ତନୁ ନାରାୟଣ ସମସ୍ତ କର୍ମଚାରୀଙ୍କୁ ମେଲ୍ ଯୋଗେ କହିଛନ୍ତି ଯେ, ଜେସ୍କି କମ୍ପାନୀ ପାଇଁ ମାର୍ଗଦର୍ଶକ ଥିଲେ । ସେ ହେଇଛନ୍ତି ଜଣେ ହିରୋ । ସେ ଜନ୍ ବାରନୋକଙ୍କ ସହ ମିଶି ଯେଉଁ ସଫ୍ଟଓୟାର ପ୍ରସ୍ତୁତ କରିଛନ୍ତି ତାହା ସବୁଠି ଆଦୃତ ହୋଇଛି ।

ଜେସ୍କିଙ୍କ ପତ୍ନୀ ନ୍ୟାନ୍ସି ନାନ୍ କହିଛନ୍ତି ଯେ, ସେ ନିଜ କାମକୁ ନେଇ ଗର୍ବ କରୁଥିଲେ । ଏହାସତ୍ତ୍ୱେ ସେ ନିଜ ପରିବାର ଉପରେ ଧ୍ୟାନ ଦେଉଥିଲେ । ସେ ନିଜକୁ ବିଶ୍ୱର ସବୁଠାରୁ ଭାଗ୍ୟଶାଳୀ ବ୍ୟକ୍ତି ଭାବୁଥିଲେ । କାର୍ନିଗି ମେଲନ ବିଶ୍ୱବିଦ୍ୟାଳୟରେ ଶିକ୍ଷା ସମାପ୍ତ ପରେ ସେ ପ୍ରଥମେ ଜେରକ୍ସ କମ୍ପାନୀରେ କାମ କରୁଥିଲେ । ଏଠାରେ ସେ ବାରନୋକଙ୍କୁ ଭେଟିଥିଲେ । ୧୯୮୨ରେ ଉଭୟ ମିଳିତ ଭାବେ ଆଡୋବ୍ ସଫ୍ଟଓୟାର ବିକଶିତ କରିଥିଲେ ।

ସବୁଠାରୁ ରୋଚକ କଥା ହେଉଛି ଯେ, ୧୯୯୨ରେ ଜେସ୍କିଙ୍କ ଅପହରଣ ହୋଇଥିଲା । ୨ ଜଣ ବ୍ୟକ୍ତି ତାଙ୍କୁ ଅଫିସରୁ ବନ୍ଧୁକ ମୁନରେ ଅପହରଣ କରିନେଇଥିଲେ । ତାଙ୍କୁ ଛାଡିବା ପାଇଁ ସାଢେ ୬ ଲକ୍ଷ ଡଲାର ଦାବି କରିଥିଲେ । ତେବେ ପୋଲିସ ଜେସ୍କିଙ୍କୁ ଉଦ୍ଧାର କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.