ବଣିକ ସଂଘର ପ୍ରତିବାଦ ପରେ କଟକଣା କୋହଳ କଲା ପ୍ରଶାସନ, ପୂର୍ବ ଭଳି ଡିଆରଡିଏ ଛକରେ ଖୋଲିବ ପରିବା ବଜାର

Published By : Prameya-News7 Bureau | August 08, 2020 IST

ଫୁଲବାଣୀ ୮।୮: ମହାମାରୀ କରୋନା ପାଇଁ ପ୍ରଶାସନ କଡା କଟକଣା ଲଗାଇ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପରିବା ଦୋକାନ ସକାଳ ୭ଟାରୁ ଗୋଟାଏ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେଇଥିଲା । ଏଥିସହ ଡିଆରଡିଏ ଛକରେ ବସୁଥିବା ପରିବା ବଜାରକୁ ବିଟିମ୍ ପଡିଆକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଥିଲା । ଏହାକୁ ଫୁଲବାଣୀ ବଣିକ ସଂଘ ବିରୋଧ କରି ଆଜିଠାରୁ ବଜାର ବନ୍ଦ ଡାକରା ଦେଇଥିଲା । ସଂଘର ଦାବି ଥିଲା ଯେ କେବଳ ଅତ୍ୟାବଶ୍ୟକ ନୁହେଁ ସମସ୍ତ ଦୋକାନ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବା ଏବଂ ପୂର୍ବ ଭଳି ଡିଆରଡିଏ ଛକରେ ପରିବା ବଜାର ଚାଲିବାକୁ ଅନୁମତି ଦିଆଯାଉ ।

ଶନିବାର ସକାଳୁ ବଣିକ ସଂଘ ସମସ୍ତ ଦୋକାନ ବନ୍ଦ କରି ବଜାର ଛକରେ ପ୍ରତିବାଦ ବିକ୍ଷୋଭ କରିଥିଲେ । ଖବର ପାଇ ଉପଜିଲ୍ଲାପାଳ, ତହସିଲଦାର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଥାନା ଆଇଆଇସି ପହଞ୍ଚି ବଣିକ ସଂଘ ସହ ଆଲୋଚନା କରିଥିଲେ । ପରେ କେବଳ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବା ନେଇ ସଂଘର ଦାବିକୁ ଛାଡି ଅନ୍ୟ ସମସ୍ତ ଦାବିକୁ ପ୍ରଶାସନ ମାନି ନେଇଥିଲା । ସମସ୍ତ ଦୋକାନ ସକାଳ ୭ଟାରୁ ଗୋଟାଏ ପର୍ଯ୍ୟନ୍ତ ସାମାଜିକ ଦୂରତା ବଜାୟ ରଖି ଏବଂ ମାସ୍କ ପିନ୍ଧି ବ୍ୟବସାୟ କରିବା ସହ ପୂର୍ବ ଭଳି ଡିଆରଡିଏ ଛକରେ ପରିବା ବଜାର ଖୋଲିବାକୁ ଅନୁମତି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.