Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁନ୍ଦରପଦାର ସୁନା ପୁଅ ଥିଲେ ଆଦିତ୍ୟ: ସୁଶାନ୍ତଙ୍କ ପରି ଆଦିତ୍ୟଙ୍କ ସୁଇସାଇଡ୍‌ ମିଷ୍ଟ୍ରୀ

7/07/2020 at 9:15 PM

ଭୁବନେଶ୍ବର୭/୭: ଲିଙ୍ଗରାଜ ଷ୍ଟେସନ୍‌ ରେଳ ଲାଇନ୍‌ କଡ଼ରୁ ଉଦ୍ଧାର ହୋଇଛି ଆଦିତ୍ୟଙ୍କ ରକ୍ତ ଜୁଡୁବୁଡ଼ୁ ମର ଶରୀର l ସେ ମାନବ ପ୍ରେମୀ ଆଦିତ୍ୟ ଦାସ ଭାବରେ ସୋସିଆଲ୍‌ ମିଡ଼ିଆରେ ଛାଇ ଯାଇଥିଲେ l ସାଧାରଣ ଲୋକଙ୍କ ଆସ୍ଥା ସାଜିଥିଲେ। ଏଥିସହ ନିଜ ହାତ ଗଢା ଛୋଟିଆ ସଂଗଠନ ପିପୁଲ୍‌ସ ଫର ଫର ସେବା ଜରିଆରେ ଅସହାୟ ଲୋକଙ୍କୁ ସହାୟତା କରୁଥିଲେ। ସାଙ୍ଗ ସାଥୀଙ୍କ ଗହଣରେ ଖୁବ୍‌ ମେଳାପୀ ଥିବା ଆଉ ଆଖିରେ ସବୁବେଳେ ଉଚ୍ଚା ଭିଳାସ ଝଲସୁଥିବା ଆଦିତ୍ୟଙ୍କୁ ତାଙ୍କ କାମ ପାଇଁ ,ତାଙ୍କ ସେବା ମନୋଭାବ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନ ଓ ସୀକୃତୀ ମିଳିଥିଲା। ସୋସିଆଲ୍‌ ମିଡ଼ିଆରେ ତାଙ୍କ ମୋଟିଭେସନାଲ ସ୍ପିଚ୍‌ସବୁ ଅନେକଙ୍କ ପାଇଁ ପ୍ରେରଣା ଦାୟକ ଥିଲା । ମାତ୍ର ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଲାଗୁଛି ଯେମିତି ଆଉ ଗୋଟିଏ ଆଦର୍ଶର ଅପମୃତ୍ୟୁ ହୋଇଗଲା ।

ଲିଙ୍ଗରାଜ ଷ୍ଟେସନ ସନ୍ନିକଟ ରେଳ ଧାରଣା ଉପରୁ ସଦିଗ୍ଧ ମୃତଦେହ ମିଳିବା କିଛି ଘଣ୍ଟା ଆଗରୁ ପତ୍ନୀ ବିଦ୍ୟାଶ୍ରୀଙ୍କ ସହ ନିଜର ଶେଷ ଭିଡିଓ ଛାଡ଼ିଥିଲେ ଆଦିତ୍ୟ ଉତ୍ତମ ସମ୍ପର୍କ ଭିତରେ  ଭୁଲ ବୁଝାମଣା  କେମିତି  ସୁଖର ଫଗୁଣକୁ ନିଦାଘ ବୈଶାଖରେ ପରିଣତ କରିଦିଏ ସେନେଇ ବକ୍ତବ୍ୟ ରଖିଥିଲେ । ହସି ହସି ଉଭୟେ ଅନ୍ୟମାନଙ୍କୁ ବୁଝାଇଥିଲେ ଭଲ ପାଇବାର ଭାଷା । ମାତ୍ର ଏସବୁର ଆଉ କିଛି ଘଣ୍ଟାପରେ ସତେ ଯେମିତି ବଦଳିବାକୁ ଆରମ୍ଭ କରିଥିଲା ସୋସିଆଲ୍‌ ମିଡ଼ିଆରେ ଆଦିତ୍ୟଙ୍କ ସ୍ବର। ସୋମବାର ପ୍ରାୟ ୯ଟା ରାତି ବେଳକୁ ଆଦିତ୍ୟ ଫେସବୁକ୍‌ ୱାଲରେ ଯେଉଁ ପୋଷ୍ଟ କରିଥିଲେ ତାହା ଥିଲା ବୋଧହୁଏ  ଆଦିତ୍ୟଙ୍କ ଶେଷ ପୋଷ୍ଟ୍। ଯେଉଁଥିରେ ଲେଖାଥିଲା- ମୃତ୍ୟୁ ଯେତେବେଳେ ଆସେ ବହୁତ ଧୀରେ ଧୀରେ ଆସେ, କେହି ଜାଣିପାରନ୍ତି ନାହିଁ। ଆଦିତ୍ୟଙ୍କ  ଏଇ ଶେଷ ପୋଷ୍ଟ ହିଁ  ଯେମିତି ଜଣେଇ ଦେଉଥିଲା ଆଦିତ୍ୟଙ୍କ ମନ ଭଲ ନାହିଁ।

ବଉଦରୁ ଆସି ସୁନ୍ଦରପଦାର ସୁନାପୁଅ ସାଜିଥିଲେ ଆଦିତ୍ୟ । ନିଜ ଆଚାର ବ୍ୟବହାର ବଳରେ ଖୁବ୍‌ କମ୍‌ ଦିନ ମଧ୍ୟରେ ହୋଇ ପାରିଥିଲେ ସଭିଙ୍କ ପ୍ରିୟପାତ୍ର । ସୋସିଆଲ ମିଡ଼ିଆ ଜରିଆରେ ସଭିଁଙ୍କୁ ବୁଝାଇ ଚାଲୁଥିଲେ ଜୀବନର ମାନେ ଆଉ ବଞ୍ଚିବାର ମହତ୍ତ୍ବ । ଭାଙ୍ଗି ପଡ଼ିଥିବା ମଣିଷ ହାତରେ ଧରେଇ ଦେଉଥିଲେ ଆଶ୍ବାସନର ଆଶାବାଡ଼ି । ସେଥିପାଇଁ ଖୁବ୍ କମ ବୟସରୁ ସେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପାଲଟି ପାରିଥିଲେ ପ୍ରେରଣାର ଉତ୍ସ।

ଫେସବୁକରେ ତାଙ୍କର ୮୦ ହଜାରରୁ ଅଧିକ ଅନୁଗାମୀ ଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଗୋଟିଏ ଗୋଟିଏ ଭିଡିଓ ୧ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ଭିୱର୍ସ ଦେଖୁଥିଲେ। ଗଲା ମାସ ଜୁନ୍‌ ୯ ତାରିଖ ମାନେ ଆଜକୁ ଠିକ୍‌ ୨୮ ଦିନ ତଳେ ସେ କଟକର ଖପୁରିଆ ଅଞ୍ଚଳରେ ପ୍ରେମ ବିବାହ କରିଥିଲେ । ବିବାହ ପରେ ପତ୍ନୀଙ୍କ ସହ ମିଶି ଏକ ୟୁଟ୍ୟୁବ ଭିଡ଼ିଓ ଚ୍ୟାନେଲର ଶୁଭାରମ୍ଭ ବି କରିଥିଲେ । ହେଲେ ହଠାତ୍‌ କଣ ଏମିତି ଘଟିଗଲା କେଜାଣି  ଘରପାଖ ରେଳ ଧାରଣାରୁ ଦେଖିବାକୁ ମିଳିଲା ଆଦିତ୍ୟଙ୍କ ସଦିଗ୍ଧ ମୃତଦେହ । ତେବେ  ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟାକରି ଆତ୍ମହତ୍ୟାର ରୂପ ଦେବାକୁ ରେଳ ଲାଇନ୍‌ ଉପରେ ଶୁଆଇ ଦେଇ ଯାଇଛି ତାହା ଲାଗୁଛି ଖୁବ୍‌ ରହସ୍ୟମୟ।

ଆଦିତ୍ୟଙ୍କୁ ଜାଣିଥିବା ବନ୍ଧୁ-ପରିଜନଙ୍କ କହିବା ଅନୁସାରେ ସେ ଜୀବନକୁ ଖୁବ୍ ଭଲପାଉଥିଲେ ଓ ଆତ୍ମହତ୍ୟାର ଘୋର୍‌  ବିରୋଧୀ ଥିଲେ। ଏପରିକି କିଛିଦିନ ତଳେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଆଦିତ୍ୟ ଗୋଟିଏ ପୋଷ୍ଟ ମଧ୍ୟ କରିଥିଲେ। ଏଥିରେ ସେ ଲେଖିଥିଲେ, “ସୁଶାନ୍ତଙ୍କ ଠାରୁ ଏଭଳି ଆଶା କରାଯାଉନଥିଲା। ଏହା ବିଚଳିତ କରିଦେବା ଭଳି କଥା। ଆତ୍ମହତ୍ୟା କେବେ ବି ଏକ ଉପାୟ ନୁହେଁ। ଦୁଃଖଦ କ୍ଷତି।”ହେଲେ ସେ ନିଜେ ଜାଣିକରି ସେଇ ରାସ୍ତାରେ ଯାଇଛନ୍ତି ନା ଆଦିତ୍ୟଙ୍କ ମୃତ୍ୟୁ ପଛରେ ଆଉ କିଛି ଅଜଣା ରହସ୍ୟ ଲୁଚି କରି ରହିଛି ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।

ପୋଲିସ୍‌ର ଅଧିକ ତଦନ୍ତ ଏ ରହସ୍ୟ ଉପରୁ ପରଦା ହଟେଇ ପାରିବ ବୋଲି ଆଶା କରାଯାଉଛି ।ତେବେ ବାରମ୍ବାର ବଞ୍ଚିବାର ବଚନିକା ବାଣ୍ଟୁଥିବା ଆଦିତ୍ୟଙ୍କ ଏମିତି ରହସ୍ୟ ଜନକ ମୃତ୍ୟୁକୁ ନେଇ ତାଙ୍କ ଶୁଭେଚ୍ଛୁ ଓ ଅନୁଗାମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ହତ୍ୟା ଆଉ ଆତ୍ମହତ୍ୟା କାଠଗଡ଼ା ଭିତରେ ଏବେ ସୁଶାନ୍ତଙ୍କ ପରି ଆଦିତ୍ୟଙ୍କ ସୁଇସାଇଡ୍‌ ମିଷ୍ଟ୍ରୀ ।ଯେଉଁ ରହସ୍ୟ ଉପରୁ ପରଦା ହଟେଇ  ସତ ସାମ୍ନାକୁ ଆଣିପାରେ ପୋଲିସ୍‌ର ଅଧିକ ତଦନ୍ତର ଆବରଶ୍ୟକ ରହିଛି।

   Related Posts