ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟ : ଜିଆରପିକୁ ଟ୍ରେନ୍ ତାଲିକା ପ୍ରଦାନ, ଚାଳକଙ୍କୁ ପଚରାଉଚୁରା କରାଯିବ

Published By : Prameya-News7 Bureau | July 13, 2020 IST

ଭୁବନେଶ୍ୱର, ୧୩।୦୭: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ୬ ଦିନବିତିଗଲାଣି । ଏବେବି ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସସପେନ୍ସ ଲାଗି ରହିଛି । ତେବେ ଦୀର୍ଘ ଛଅ ଦିନ ପରେ ଆସିଛି ଟ୍ରେନ ଯାତାୟତର ତାଲିକା । ଯେଉଁ ଲିଙ୍ଗରାଜ ରେଳ ଷ୍ଟେସନ ପାଖରେ ତାଙ୍କ ମୃତଦେହ ମିଳିଥିଲା, ଜୁଲାଇ ୭ ତାରିଖ ସନ୍ଧ୍ୟା ୬ଟା ରୁ ରାତି ୧୦ ଭିତରେ ସେହି ରୁଟ ଦେଇ ଯାଇଥିବା ଟ୍ରେନର ତାଲିକା ଆସିଛି ।

ଖୋର୍ଦ୍ଧା ରେଳ ଡିଭିଜନ ଜିଆରପିକୁ ଟ୍ରେନ ଯାତାୟତର ତାଲିକା ପ୍ରଦାନ କରିଛି ।  ଜୁଲାଇ ୭ ତାରିଖ ଘଟଣା ଘଟିବା ଦିନ ଲିଙ୍ଗରାଜ ଷ୍ଟେସନ ଦେଇ ସନ୍ଧ୍ୟା ୬ ଟା ରୁ ରାତି ୧୦ ଭିତରେ ମୋଟ ୭ ଟି ଟ୍ରେନ ଯାତାୟତ କରିଥିବା ଖୋର୍ଧା ରେଳ ଡିଭିଜନର ସୂଚନା ଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ ଟ୍ରେନ ଚାଳକ ନାଁ ଜିଆରପିକୁ ଖୋର୍ଧା ରେଳ ଡିଭିଜନ ପକ୍ଷରୁ ଦିଆଯାଇଛି । ଖୁବ ଶୀଘ୍ର ସେମାନଙ୍କୁ  ଜିଆରପି ପଚରାଉଚୁରା କରିବ ।

ସମାଜସେବୀ ଆଦିତ୍ୟ ଦାସଙ୍କ ରେଳଧାରଣାରୁ ମୃତଦେହ ମିଳିବା ଘଟଣାରେ ସସ୍‌ପେନ୍ସ ବଢ଼ିଚାଲିଛି। ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ସେପଟେ ମାମଲାର ମୋଡ଼ ବଦଳାଇଛି ଜିଆର୍‌ପି ପୁଲିସ୍‌। ପ୍ରଥମେ ଅପମୃତ୍ୟୁ ମାମଲାରେ ତଦନ୍ତ ଚଳାଇଥିବା ପୁଲିସ ଏବେ ହତ୍ୟା ମାମଲା ରୁଜୁ କରିଛି । ‘ପିପୁଲ ଫର ସେବା’ର ଅଭିଯୋଗ ଆଧାରରେ ପୁଲିସ ୩୦୨ (ହତ୍ୟା) ଓ ୩୪ ଆଇପିସି ଦଫା ମାମଲାରେ ଯୋଡିଛି।

ଆଦିତ୍ୟ ଦାସ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ଥିବା ବେଳେ ତାଙ୍କର ଆତ୍ମହତ୍ୟା ଘଟଣାକୁ କେହି ଗ୍ରହଣ କରିପାରୁନାହାନ୍ତି । ଏବେ ରାଜ୍ୟସରକାର ଏହି ଘଟଣାର ଅନୁସନ୍ଧାନ ପାଇଁ କ୍ରାଇମବ୍ରାଞ୍ଚକୁ କେସ ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି ଏହି ଅନୁଷ୍ଠାନର କର୍ମକର୍ତ୍ତା। ଅନ୍ୟପକ୍ଷେ ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବି ସାମ୍ନାକୁ ଆସିଛି। ରିପୋର୍ଟ ଶୁକ୍ରବାର ସକାଳେ ଜିଆର୍‌ପି ଥାନା ଅଧିକାରୀଙ୍କ ହସ୍ତଗତ ହୋଇଛି । ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.