Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଦିତ୍ୟ ଦାଶ ମୃତ୍ୟୁ ମାମଲା , ଫିଟୁନି ରହସ୍ୟ : ଜେରା ହେବେ OAS ଅଧିକାରୀ !

24/08/2020 at 8:41 AM

ଭୁବନେଶ୍ୱର ୨୪।୦୮: ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା ତେବେ କିଏ ସେ ହତ୍ୟାକାରୀ ? ଆଉ ଯଦି ଆତ୍ମହତ୍ୟା ତାହେଲେ ଆତ୍ମହତ୍ୟା ପଛର କାରଣ କଣ ? ଆଦିତ୍ୟ ଦାଶ ମୃତ୍ୟ ଘଟଣାକୁ ନେଇ ଏଭଳି ଅନେକ ପ୍ରଶ୍ନ ଏବେ ବି ଅଡୁଆ ସୁତା ହୋଇ ରହିଛି । ୟା ଭିତରେ ଦେଢ ମାସ ବିତିଲାଣି । କ୍ରାଇମବ୍ରାଞ୍ଚ ହାତକୁ ତଦନ୍ତ ଭାର ଯିବାର ୨୩ ଦିନ ହେଲାଣି । ହେଲେ ଏଯାଏଁ ବି ସ୍ପଷ୍ଟ ହୋଇନି ଯେ, ହତ୍ୟା ନା ଆତ୍ମହତ୍ୟା । ମୃତ୍ୟୁର ରହସ୍ୟ ଭେଦି ପାରିନି । କି ଦାବି ଉଠୁଥିବା କ୍ରାଇମ୍‌ ସିମୁଲେସନ ଓ ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଆଗଭର ହେଉନି । ଲାଗୁଛି, ସତେ ଯେମିତି କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଶୀଥିଳ ପଡିଯାଇଛି ।

କ୍ରାଇମ୍‌ବ୍ରାଞ୍ଚରୁ ସୂଚନା ମିଳିଛି, ମାମଲାରେ ଜଡିତ ଥିବା ଓଏଏସ୍‌ ଅଧିକାରୀଙ୍କୁ ଖୁବ୍‌ ଶୀଘ୍ର ଜେରା ହେବ । ସେ ହାଜର ହୋଇ ଆଦିତ୍ୟ-ବିଦ୍ୟାଶ୍ରୀଙ୍କ ବିବାହ ସମ୍ପର୍କରେ ପକ୍ଷ ରଖିବାକୁ ତାଙ୍କୁ ନୋଟିସ୍‌ କରାଯାଇଛି । ସେ ହାଜର ହେବାକୁ କିଛି ସମୟ ମାଗିଛନ୍ତି । ସେପଟେ ଆଦିତ୍ୟ ମାମଲା ଛଡ଼ା ଅନ୍ୟ କିଛି ମାମଲାର ତଦନ୍ତ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ କରୁଛି । ଯେଉଁଥିଯୋଗୁଁ ତଦନ୍ତ ଧୀମେଇଥିବା ଟିମ୍‌ କହିଛି ।

ଜିଆର୍‌ପି ଥାନା ପୁଲିସ ତଦନ୍ତରେ ବାଟବଣା ହେବାରୁ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଦାବି ଉଠିଥିଲା । ଡିଜିପି ଶ୍ରୀ ଅଭୟ ଜୁଲାଇ ୩୦ରେ ମାମଲାର ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିଲେ । ନିର୍ଦ୍ଦେଶ ମିଳିବା କ୍ଷଣି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ତୁରନ୍ତ ଏକ ୪ ଜଣିଆ ଟିମ୍‌ ଗଢ଼ିଥିଲେ । ଏସ୍‌ପି ର‌୍ୟାଙ୍କର ଅଫିସରଙ୍କ ନେତୃତ୍ୱରେ ଟିମ୍‌ ଜିଆର୍‌ପି ଥାନାକୁ ଯାଇଥିଲା । ସେଠାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ, ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ରିପୋର୍ଟ, ସାକ୍ଷ୍ୟ ପ୍ରମାଣ ଓ ବୟାନ ରେକର୍ଡଗୁଡିକ ସଂଗ୍ରହ କରିଥିଲା । ଶ୍ରୀଲିଙ୍ଗରାଜ ରେଳଷ୍ଟେସନସ୍ଥିତ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ କରିଥିଲା । ପରେ ସପ୍ତାହେ ଯାଏଁ ଟିମ୍‌ ତଦନ୍ତକୁ ଜୋର୍‌ ଦେଇଥିଲା । ବିଦ୍ୟାଶ୍ରୀ, ପପୁ-ବିକାଶ ଓ ଅନ୍ୟ ସାକ୍ଷ୍ୟମାନଙ୍କୁ ଜେରା କରିଥିଲା । କିନ୍ତୁ ଏହାପରେ ଟିମ୍‌ର ତଦନ୍ତରେ ଏକରକମର ବ୍ରେକ୍‌ ଲାଗିଛି ।

ସେପଟେ ସମାନ ଢ଼ଙ୍ଗରେ ସେଲିବ୍ରେଟି ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମିଷ୍ଟ୍ରି ସାରା ଦେଶରେ ହଇଚଇ ପକାଇଛି। ମାମଲାର ତଦନ୍ତକୁ ଜୋରଦାର୍‌ କରିଛି ସିବିଆଇ । ଗତକାଲି ସୁଶାନ୍ତଙ୍କ ଫ୍ଲାଟ୍‌ରେ କ୍ରାଇମ୍‌ ସିମୁଲେସନ (ପ୍ରତିକାତ୍ମକ ଚିତ୍ର) କରିଛି । ସୁଶାନ୍ତଙ୍କ ଓଜନର ଏକ ଡମିକୁ ରୁମ୍‌ର ଫ୍ୟାନ୍‌ରେ ଟଙ୍ଗାଇ ସମାନ ଢ଼ଙ୍ଗରେ ଡେମୋ କରାଇଛି । ଯେଉଁଥିରୁ ସିବିଆଇ ଘଟଣାଦିନର ଅନେକ ଦିଗର ସ୍ପଷ୍ଟ ଚିତ୍ର ପାଇଥିବା ସୂଚନା ମିଳିଛି । କିନ୍ତୁ ଆଦିତ୍ୟଙ୍କ ଘଟଣାରେ ସମାନ ରୂପକ କ୍ରାଇମ୍‌ ସିମୁଲେସନର ଦାବି ଉଠୁଥିଲେ ହେଁ, କ୍ରାଇମ୍‌ବ୍ରାଞ୍ଚ ଏଥିପାଇଁ ଇଚ୍ଛାପ୍ରକାଶ କରୁନାହିଁ ।

   Related Posts