ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି, ଭୋଗ ସରିଲା ପରେ ରଥ ଉପରେ ଭଙ୍ଗା ହେବ ହାଣ୍ଡି

Published By : Prameya-News7 Bureau | July 22, 2021 IST

ପୁରୀ ୨୨।୦୭: ଜନ୍ମବେଦୀରୁ ବାହୁଡ଼ିବା ପରେ ସୁନାବେଶରେ ଦର୍ଶନ ଦେଲେ ରଥାରୁଢ଼ ଚତୁର୍ଦ୍ଧାମୂରତି । ମହଣ ମହଣ ସୁନାରେ ସଜେଇ ହୋଇଥିଲେ ଶ୍ରୀଜିଉ । ଆଜି ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କୁ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହେବ । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦି ପଣା ସାମଗ୍ରୀ ପହଞ୍ଚାଯାଏ । ମହାପ୍ରଭୁଙ୍କ ସେବକମାନେ ପଣା ପ୍ରସ୍ତୁତ କରିଥାନ୍ତି।

 ଆଜି ତ୍ରୟୋଦଶୀ ତିଥିରେ ରଥାରୁଢ ଦିଅଁଙ୍କୁ ଅଧରପଣା ଭୋଗ ଲଗାଯିବ । ଅଧର ଉଚ୍ଚା ୯ଟି ତୁମ୍ୱାକୃତି ମାଟି ପାତ୍ରରେ ପଣା ପ୍ରସ୍ତୁତ ହେବ । ଭୋଗ ସରିଲା ପରେ ରଥ ଉପରେ ହାଣ୍ଡି ଭଙ୍ଗା ଯିବ । କିମ୍ବଦନ୍ତୀ ଅନୁସାରେ ଉକ୍ତ ଭୋଗ ପଣା ପାଶ୍ୱର୍ଦେବାଦେବୀ, ଅଶରୀର, ଚଣ୍ଡୀ ଓ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ । ଠାକୁରଙ୍କ ମଧ୍ୟାହ୍ନଧୂପ ବଢିବା ପରେ ଅଧରପଣା ପ୍ରସ୍ତୁତି ଆରମ୍ଭ ହେବ। ୮ଟାରେ ଅଧର ପଣା ଭୋଗ ଲଗାଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି । ଆସନ୍ତାକାଲି ନିଳାଦ୍ରିବିଜେରେ ଶ୍ରୀମନ୍ଦିର ରତ୍ନବେଦୀକୁ ଫେରିଯିବେ ଚତୁର୍ଦ୍ଧା ମୂରତି । ପୁରୀରେ କିଛି ଅଂଚଳରେ କର୍ଫ୍ୟୁ ବଳବତ୍ତର ରହିଛି । ମାର୍କେଟ ଛକ, କାକୁଡ଼ିଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଆସନ୍ତା ୨୪ ସକାଳ ୬ଯାଏଁ କର୍ଫ୍ୟୁ ଜାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.