ମାଟି ତଳେ ପୋତା ହୋଇଛି ଆଧାରକାର୍ଡ !

Published By : Prameya-News7 Bureau | June 07, 2020 IST

ବାଲିଆପାଳ ୦୭।୦୬: ବର୍ତ୍ତମାନ ଆଧାର କାର୍ଡକୁ ବିଭିନ୍ନ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ କରିଛନ୍ତି ସରକାର । ହେଲେ ସେହି ସରକାରୀ ଜରୁରୀ ନଥି ମାଟି ତଳୁ ମିଳୁଛି । ଡାକ ବିଭାଗର ଜଣେ କର୍ମଚାରୀ ଏସବୁ ତାଙ୍କ ଘର ବାଡ଼ିରେ ପୋତି ରଖିଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ବାଲିଆପାଳ ବ୍ଲକ ବଡାଶ ପଞ୍ଚାୟତ ଜଗାଇ ଡାକଘରଟି କେନ୍ଦ୍ରର ପିଅନ ବାଞ୍ଛାନିଧି ପରିଡ଼ାଙ୍କ ଘରେ ଚାଲିଆସୁଛି । ବାଞ୍ଛାନିଧି ନିଜ ଘର ପୋଖରୀକୁ ଜେସିବିରେ ଖୋଳୁଛନ୍ତି । ପୋଖରୀ ହୁଡ଼ାରେ ଥିବା ମାଟିକୁ କିଛି ଗ୍ରାମବାସୀକୁ ବିକ୍ରି କରିଦେଇଥିଲେ । ବିକ୍ରି ହୋଇଥିବା ମାଟି ଭିତରେ ଶହ ଶହ ଆଧାର କାର୍ଡ ପୋତି ହୋଇରହିଥିବା ଗ୍ରାମବାସୀ ଦେଖିଥିଲେ ।

ଗ୍ରାମବାସୀ ବାଞ୍ଛାନିଧି ପୋଷ୍ଟ ଅଫିସକୁ ଆସୁଥିବା ଆଧାରକାର୍ଡ ସବୁକୁ ନ ବାଣ୍ଟି ନିଜ ଘରେ ପୋତି ରଖିଥିବା ଅଭିଯୋଗ କରିଛନ୍ତି । ଆଧାର କାର୍ଡ ନପାଇ ଅନେକ ବ୍ୟକ୍ତି ରାସନ କାର୍ଡ ସମେତ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ କ’ଣ ପାଇଁ ବାଞ୍ଛାନିଧି ଏହି ଆଧାର କାର୍ଡ ବାଣ୍ଟି ନଥିଲେ³ ଏହାର ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ବାଞ୍ଛାନିଧି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ତାଙ୍କ ପୋଖରୀ ହୁଡ଼ାରୁ ଗୋଟିଏ ବି ଆଧାର କାର୍ଡ ବାହାରି ନଥିବା ବେଳେ କିଛି ଗ୍ରାମବାସୀ ମାଟି ଭିତରେ ସେମାନଙ୍କ ଆଧାର କାର୍ଡ ପୋତିଦେଇ ତାଙ୍କ ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ କରୁଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.