କାଶ୍ମୀର ଘାଟିରେ ପୁଣି ମୁତୟନ ହେଲେ ୨୫ହଜାର ଯବାନ, ବଡ ଧରଣର ଅପରେସନ୍ ପାଇଁ ସଜବାଜ !

Published By : Prameya-News7 Bureau | August 02, 2019 IST

ନୂଆଦିଲ୍ଲୀ ୨|୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗତ ସପ୍ତାହରେ କାଶ୍ମୀର ଘାଟି ପରିଦର୍ଶନରେ ଯାଇ ଫେରିବା ପରେ ଗୃହ ମନ୍ତ୍ରୀ ଅମିତ ଶାହା କାଶ୍ମୀର ଘାଟିରେ ସୈନ୍ୟ ଠୁଳ କରିବାରେ ଲାଗିଛନ୍ତି । ପ୍ରଥମ ଦଫାରେ ୧୦ହଜାର ଅତିରିକ୍ତ ସୈନିକ ଘାଟିରେ ମୁତୟନ ହୋଇଥିବାବେଳେ ଗତକାଲି ଆଉ ୨୫ହଜାର ସୈନିକ ଗୃମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁତୟନ ହୋଇଛନ୍ତି । ଫଳରେ କାଶ୍ମୀର ଘାଟିରେ କୌଣସି ଏକ ବଡ ଧରଣର ଅପରେଶନ ପାଇଁ ସଜବାଜ ଚାଲିଛି ବୋଲି ଆଲୋଚନା ହେଉଛି ।

ଅପରପକ୍ଷରେ ଧାରା ୩୫ଏ ଏବଂ ଧାରା ୩୭୦ ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି କରୁଥିବା ମଧ୍ୟ ଆଲୋଚନା ହେଉଛି । ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଏଭଳି ସୈନ୍ୟ ଠୁଳ କରାଯାଉଥିବା ଚର୍ଚ୍ଚା ହେଉଛି । କାଶ୍ମୀର ଘାଟିରେ ପୁଣି ପୁଲଓ୍ବାମା ଭଳି ଆତଙ୍କୀ ହମଲା ହେବାର ଗୁଇନ୍ଦା ସୂଚନା ରହିଥିବା ଯୋଗୁଁ ସରକାର ତାର ମୁକାବିଲା ପାଇଁ ସୈନ୍ୟ ଠୁଳ କରୁଥାଇପାରନ୍ତି ବୋଲି ମଧ୍ୟ କୁହାଯାଉଛି । ଏଭଳି ସୈନ୍ୟ ଠୁଳ ଯୋଗୁଁ ଜମ୍ମୁକାଶ୍ମୀରର ରାଜନୈତିକ ଦଳ ଓ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ଅଜଣା ଆତଙ୍କ ଭିତରେ ଘାଣ୍ଟିହେବାରେ ଲାଗିଛନ୍ତି ।

ଆଗକୁ ବଡଧରଣର ଜରୁରୀକାଳିନ ସ୍ଥିତି ଉପୁଜିପାରେ ବୋଲି ସୂଚନା ଦେଇ ଅତ୍ୟାବଶକୀୟ ଜିନିଷ ମହଜୁଦ ରଖିବା ଲାଗି ବିଭିନ୍ନ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ଉପରିସ୍ଥ ଅଧିକାରୀମାନେ ସଜାଗ କରୁଥିବା ନଜରକୁ ଆସିଛି । ଏହା ମଧ୍ୟ ଆତଙ୍କ ଖେଳାଇବା ପାଇଁ ଖୋରାକ ଯୋଗାଉଛି । ଏଭଳି ଏକ ଅନିଶ୍ଚିତ ବାତାବରଣ ମଧ୍ୟରେ କାଶ୍ମୀର ରହିଥିବାବେଳେ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲା ଏବଂ ତାଙ୍କ ପୁଅ ଉମର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି କାଶ୍ମୀର ଘାଟିର ସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି ।

ଏହି ସାକ୍ଷାତ ସମୟରେ ଧାରା ୩୫ କ ଏବଂ ୩୭୦ ଉଚ୍ଛେଦ ସଂପର୍କରେ କୌଣସି ପଦକ୍ଷେପ ନନେବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ସେମାନେ ପରାମର୍ଶ ଦେଇଛନ୍ତି । ଏଥିସହ ଜମ୍ମୁକାଶ୍ମୀରରେ ଶୀଘ୍ର ନିର୍ବାଚନ କରାଇବା ଲାଗି ମଧ୍ୟ ସେମାନେ ଦାବି କରିଛନ୍ତି । କାଶ୍ମୀର ଘାଟିରେ ପ୍ରଥମ ପର୍ଯ୍ୟାୟରେ ୧୦ହଜାର ଓ ଗତକାଲି ଅତିରିକ୍ତ ୨୫ହଜାର ସୈନ୍ୟ ମୁତୟନ ପରେ ଆଜି ସକାଳୁ ସୋପିଆଁ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବାବେଳେ ଏବେ ମଧ୍ୟ ଗୁଳିବିନିୟମ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.