କିଛି ଦିନ ପରେ ଭାରତ ଫେରିବେ ଆଦର ପୁନାବାଲା: କହିଲେ, ପୁନେରେ ଫୁଲ୍ ସ୍ପିଡ଼ରେ ଚାଲିଛି ଭ୍ୟାକସିନ୍ ଉତ୍ପାଦନ

Published By : Prameya-News7 Bureau | May 02, 2021 IST

ନୂଆଦିଲ୍ଲୀ ୦୨/୦୫ : ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାବାଲା କହିଛନ୍ତି ଯେ ସେ କିଛି ଦିନ ପରେ ଲଣ୍ଡନରୁ ଭାରତକୁ ଫେରିଆସିବେ । ସେ କହିଛନ୍ତି ଯେ ପୁନେ ସ୍ଥିତ ପ୍ଲାଣ୍ଟରେ କୋଭିଡ ଟିକା କୋଭିଶିଲ୍ଡ ଟିକା ଉତ୍ପାଦନ ଚାଲିଛି । ସେ କହିଛନ୍ତି ଯେ ଭାରତକୁ ଫେରିବା ପରେ ସେ ଟିକା ଉତ୍ପାଦନ ଉପରେ ସମୀକ୍ଷା କରିବେ ।

ସୂଚନାଯୋଗ୍ୟ ଯେ, ନିକଟରେ ଆଦର ପୁନାବାଲା ହଠାତ ଲଣ୍ଡନ ଚାଲିଯାଇଥିବା ଖବର ସାମ୍ନାକୁ ଆସିଥିଲା । ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଥିଲେ ଯେ ତାଙ୍କୁ ଧମକ ମିଳୁଛି । ପୁନାବାଲାଙ୍କ ଏହି ବୟାନ ଶୁଣି ସମସ୍ତେ ଚମକି ଯାଇଥିଲେ । ସେ କହିଥିଲେ ଯେ ଭାରତରେ କରୋନା ଭ୍ୟାକସିନ ପାଇଁ ଅନେକ ଫୋନ ଆସୁଥିଲା ଏବଂ ଫୋନ ମାଧ୍ୟମରେ ଅନେକ ପ୍ରଭାବଶାଳୀ ଲୋକଙ୍କ ଠାରୁ ଧମକ ମିଳୁଥିଲା . ଫୋନ୍ କଲ୍ ବହୁତ ଖରାପ ଜିନିଷ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ଏହିସବୁ ଫୋନ କଲ ଭାରତର ପ୍ରଭାବଶାଳୀ ଲୋକଙ୍କ ଠାରୁ ଆସୁଥିଲା । କଲ୍ କରୁଥିବା ଲୋକଙ୍କ ମଧ୍ୟରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ଇଣ୍ଡଷ୍ଟ୍ରି ଚ୍ୟାମର୍ସର ମୁଖ୍ୟ ଓ ଅନେକ ପ୍ରଭାବଶାଳୀ ହସ୍ତୀ ସାମିଲ ଅଛନ୍ତି । ଏମାନେ ଫୋନ୍ କରି ତତ୍କାଳ କୋଭିଶିଲ୍ଡ ଭ୍ୟାକସିନ୍ ଉପଲବ୍ଧ କରାଇବାକୁ ଦାବି କରୁଛନ୍ତି। ସେ କହିଛନ୍ତି କୋଭିଶିଲ୍ଡ ଭ୍ୟାକସିନ୍ ପାଇବା ଆଶା ଓ ଆକ୍ରମଣାତ୍ମକ ସ୍ଥର ଭାରି ଅଛି । ସମସ୍ତଙ୍କୁ ଭ୍ୟାକସିନ୍ ଶୀଘ୍ର ଓ ପ୍ରଥମେ ଦରକାର । ସେ ସଂକେତ ଦେଇଛନ୍ତି ଯେ ସେ କୋଭିଶିଲ୍ଡ ଭ୍ୟାକସିନ୍ ନିର୍ମାଣର ବିସ୍ତାର ଯୋଜନା ପାଇଁ ଲଣ୍ଡନ ଯାଇଛନ୍ତି ।

ଇତି ମଧ୍ୟରେ ଆଦର ପୁନାବାଲା କମ୍ପାନୀର ପାର୍ଟନର୍ସ ଓ ଷ୍ଟେକହୋଲ୍ଡର୍ସଙ୍କ ସହ ଏକ ବ୍ରିଟେନରେ ଏକ ବୈଠକ କରିଛନ୍ତି । ଏକ ଟ୍ୱିଟ୍ କରି ସେ କହିଛନ୍ତି, 'ଆମ ପାର୍ଟନର୍ସ ଓ ଷ୍ଟେକହୋଲ୍ଡର୍ସଙ୍କ ସହ ବୈଠକ ଥିଲା । ପୁନେରେ ଭ୍ୟାକସିନ ଉତ୍ପାଦନ ଜୋରସୋରରେ ଚାଲିଛି । ମୁଁ କିଛି ଦିନ ପରେ ଫେରି ଭ୍ୟାକସିନ ଉତ୍ପାଦନ ନେଇ ସମୀକ୍ଷା କରିବି।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.