ଗୋଟିଏ "ଖବର" ଯାହାକି ଆଦାନୀ ଗ୍ରୁପ୍‌ର ହଜାଇ ଦେଇଛି ନିଦ, ସେୟାର ବିକ୍ରିକରି ମୁହଁ ଫେରାଉଛନ୍ତି ନିବେଶକ

Published By : Prameya-News7 Bureau | July 20, 2021 IST

ନୂଆଦିଲ୍ଲୀ, ୨୦/୦୭: ଗତ କିଛିଦିନ ଧରି ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀଙ୍କ ଭାଗ୍ୟ ଏକପ୍ରକାର ଖରାପ ପଡ଼ିଥିବା ଦେଖିବାକୁ ମିଳିଛି । ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ ଏସିଆର ଦ୍ୱିତୀୟ ଆରବପତି ଭାବେ ରହିଥିବା ଆଦାନୀଙ୍କୁ ଏହି ପଦ ହରାଇବାକୁ ପଡ଼ିଛି । ପୁଣି ଷ୍ଟକ୍‌ ମାର୍କେଟ୍‌ରେ ଝଟ୍‌କା ଖାଉଛି କମ୍ପାନୀ । ନିବେଶକ ଆଦାନୀ ସମୂହ କମ୍ପାନୀର ସେୟାର ବିକ୍ରି କରି ମୁହଁ ଫେରାଇବାରେ ଲାଗିଛନ୍ତି । ଏହି କାରଣରୁ ଭାରତୀୟ ବଜାରରେ କମ୍ପାନୀ କ୍ଷତି ସହୁଛି ।

ସୂଚନା ଅନୁସାରେ କେନ୍ଦ୍ର ସରକାର ସୋମବାର ଲୋକସଭାରେ କହିଥିଲେ ଯେ, ନିୟମ ଉଲଂଘନ କରିବା ନେଇ ସେୟର ବଜାର ନିୟାମକ ସେବି  ବା securities Exchange Board Of India ଏବଂ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (DRI) ଆଦାନୀ ସମୂହ କମ୍ପାନୀର ଯାଞ୍ଚ କରୁଛନ୍ତି । କିନ୍ତୁ ଏଥିରେ ସ୍ପଷ୍ଟ କରାଯାଇନଥିଲା ଯେ, କେଉଁ କମ୍ପାନୀର ଯାଞ୍ଚ କରାଯାଉଛି । ଏହା ସଂସଦରେ ଉଠିବା ପରେ ଆଦାନୀ ସମୂହର ନିବେଶକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଛି । ଏହି କାରଣରୁ ସୋମବାର ପରେ ମଙ୍ଗଳବାର ମଧ୍ୟ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇଛି ।

ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ଗୃହରେ କହିଛନ୍ତି ଯେ ୨୦୧୬ରେ ତିନୋଟି ମରିସସ୍ ଫଣ୍ଡ୍‌ର ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିଲା । ଯେଉଁଥିରେ ସେମାନଙ୍କର ଅଧିକାଂଶ ଅର୍ଥ ଆଦାନୀ ଗ୍ରୁପ୍ କମ୍ପାନୀରେ ବିନିଯୋଗ କରା ଯାଇଥିଲା । କୌଣସି ବିବରଣୀ ନ ଦେଇ ସେ କହିଛନ୍ତି ଯେ ଆଦାନୀ ଗୋଷ୍ଠୀର କିଛି କମ୍ପାନୀ SEBI ର ନିୟମ ପାଳନ ପାଇଁ ଯାଞ୍ଚ କରାଯାଉଛି। ମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଏହି ଗୋଷ୍ଠୀର କିଛି ୟୁନିଟ୍ ଉପରେ ଡିଆର୍‌ଆର୍‌ ମଧ୍ୟ ଅନୁସନ୍ଧାନ କରୁଛି।  

ଆଦାନୀ ଗ୍ରୁପ୍‌ର କେଉଁ କମ୍ପାନୀର ସେୟାର ମୂଲ୍ୟ କେତେ-

ଆଦାନୀ ପାୱାର: ୯୭.୨୦ ଟଙ୍କା (ଲୋୟର ସର୍କିଟ)

ଆଦାନୀ ଟ୍ରାନ୍ସମିସନ: ୯୨୦.୫୫ ଟଙ୍କା (ଲୋୟର ସର୍କିଟ)

ଆଦାନୀ ଟୋଟଲ ଗ୍ୟାସ୍: ୮୧୩.୬୦ ଟଙ୍କା (ଲୋୟର ସର୍କିଟ୍)

ଆଦାନୀ ଗ୍ରୀନ୍‌ ଏନର୍ଜି: ୯୩୦ ଟଙ୍କା

ଆଦାନୀ ଏଣ୍ଟରପ୍ରାଇଜେସ୍: ୧୩୫୦ ଟଙ୍କା

ଆଦାନୀ ପୋର୍ଟ: ୬୬୩ ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.