ପାକ୍, ଆଫଗାନ ଓ ଇରାନରୁ ଆସୁଥିବା କାହାଜ ପ୍ରତି ମୁହଁ ମୋଡିଲା ଅଡାନୀ ଗ୍ରୁପ, ବନ୍ଦରରେ ଓହ୍ଲାଇବ ନାହିଁ ସାମଗ୍ରୀ

Published By : Prameya-News7 Bureau | October 11, 2021 IST

ନୂଆଦିଲ୍ଲୀ ୧୧।୧୦: ଗୁଜରାଟର ମୁନ୍ଦ୍ରା ପୋର୍ଟରେ ହେରୋଇନର ବଡ ଟ୍ରିପ୍ ଧରା ପଡିବା ପରେ ବଡ ନିଷ୍ପତ୍ତି ନେଲା ଅଡାନୀ ଗ୍ରୁପ। ଗ୍ରୁପ ପକ୍ଷରୁ  ସୋମବାର ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ, ଏବେ ପାକିସ୍ତାନ, ଆଫଗାନିସ୍ତାନ ଓ ଇରାନରୁ ଆମଦାନୀ ଏବଂ ରପ୍ତାନୀ  ହେଉଥିବା କାର୍ଗୋକୁ ଅଡାନୀ ଗ୍ରୁପ ସଞ୍ଚାଳନ କରିବ ନାହିଁ। କମ୍ପାନୀର ଏହି ନିଷ୍ପତ୍ତି ନଭେମ୍ବର ୧୫ରୁ ଲାଗୁ ହେବ।

କମ୍ପାନୀ ନିଜ ବୟାନରେ କହିଛି, ନିଜର ସମସ୍ତ ଟର୍ମିନାଲରେ ନଭେମ୍ବର ୧୫ରୁ  ଅଡାନୀ ପୋର୍ଟ୍ସ ଏବଂ ସେଜ୍ ଇରାନ, ପାକିସ୍ତାନ ଓ  ଆଫଗାନିସ୍ତାନରୁ ଆସୁଥିବା କଣ୍ଟେନରକୁ ସଞ୍ଚାଳନ କରିବ ନାହିଁ। କାରଣ ନିକଟରେ ଗୁଜରାଟର କଚ୍ଛର ମୁନ୍ଦ୍ରା ବନ୍ଦରରୁ ହେରୋଇନର ବଡ ଟ୍ରିପ୍ ଧରା ପଡିଥିଲା। ଧରା ପଡିଥିବା ଏହି ଡ୍ରଗ୍ସର ଆନୁମାନିକ ମୂଲ୍ୟ ପ୍ରାୟ ୨୧ ହଜାର କୋଟି ଟଙ୍କା ହେବ। ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ) ପକ୍ଷରୁ ଏହି ହେରୋଇନ ଜବତ କରାଯାଇଥିଲା। ବନ୍ଦରରେ ଦୁଇ କଣ୍ଟେନରରୁ ପ୍ରାୟ ୩୦୦୦ କିଲୋଗ୍ରାମର ହେରୋଇନ ଜବତ  ହୋଇଥିଲା। ଏଥିସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା।

ସରକାରୀ ଏଜେନ୍ସି ଅନୁଯାୟୀ, ହେରୋଇନ ଦୁଇଟି କଣ୍ଟେନର ନିଆଯାଉଥିଲା। ଗୋଟିଏ କଣ୍ଟେନରରେ ୨୦୦୦ କିଲୋଗ୍ରାମ ଏବଂ ଅନ୍ୟଟିରେ ପ୍ରାୟ ୧୦୦୦  କିଲୋଗ୍ରାମ ରହିଥିଲା। ଏହା ଆଫଗାନିସ୍ତାନରୁ ଆସିଥିଲା ଏବଂ ଇରାନ ବନ୍ଦରରୁ ଗୁଜରାଟ ପଠାଇ ଦିଆଯାଇଥିଲା।

ପୂରା ମାମଲାର ତଦନ୍ତଭାର ଏନଆଇଏକୁ ଦିଆଯାଇଥିଲା। ଗତ ସପ୍ତାହରେ ଏଜେନ୍ସି କୋଏମ୍ବାଟୁର, ଚେନ୍ନାଇ ଓ ବିଜୟଓ୍ଵାଡାରେ ଚଢାଉ କରିଥିଲା। ଏହି ସର୍ଚ୍ଚ ଅପରେସନରେ ଏନଆଇଏ ଅନେକ କାଗଜପତ୍ର ମଧ୍ୟ ଜବତ କରାଯାଇଥିଲା। ପୂରା ମାମଲାରେ ଚାରି ଆଫଗାନୀ, ଜଣେ ଉଜବେକିସ୍ତାନ ଏବଂ ୩ ଭାରତୀୟଙ୍କୁ ଗିରଫ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.