ଅଭଦ୍ର ଭାଷା କହି ଫସିଲେ ଅଷ୍ଟ୍ରେଲିଆ ସ୍ପିନର ଆଦାମ ଜାମ୍ପା, ଖେଳିପାରିବେ ନାହିଁ ଗୋଟିଏ ମ୍ୟାଚ୍
1/01/2021 at 7:36 PM

ମେଲବର୍ନ ୦୧/୦୧: ଅଷ୍ଟ୍ରେଲିଆ ସ୍ପିନର ବୋଲର ଆଦାମ ଜାମ୍ପାଙ୍କୁ ଝଟକା। ବିଗ୍ ବ୍ୟାସ୍ର ଦଶମ ସିଜନ୍ରେ ମେଲବର୍ନ ଷ୍ଟାର୍ସ ପକ୍ଷରୁ ଖେଳୁଥିବା ଆଦାମ ଜାମ୍ପା ଗୋଟିଏ ମ୍ୟାଚ୍ ଖେଳିପାରିବେ ନାହିଁ। ମ୍ୟାଚ୍ ସମୟରେ ଅଭଦ୍ର ଭାଷା ପ୍ରୟୋଗ କରିଥିବାରୁ ଜାମ୍ପାଙ୍କ ଉପରେ ପ୍ରତିବନ୍ଧ ଲଗାଯାଇଛି। ତେବେ ଜାମ୍ପା ହୋବାର୍ଟ ହରିକେନ୍ସ ସହ ହେବାକୁ ଥିବା ଆଗାମୀ ମ୍ୟାଚ୍ ଖେଳିପାରିବେ ନାହିଁ। ସିଡନୀ ଥଣ୍ଡର ବିପକ୍ଷ ମ୍ୟାଚ୍ରେ ଅଭଦ୍ର ଭାଷା କହିଥିବା ନେଇ ମଧ୍ୟ ଜାମ୍ପା ସ୍ବିକାର କରିଛନ୍ତି।
ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ କୋଡ ଅଫ କଣ୍ଡକ୍ଟ ଜରିଆରେ ଜାମ୍ପାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୋଟିଏ ମ୍ୟାଚ୍ରେ ଜାମ୍ପାଙ୍କୁ ବାସନ୍ଦ କରାଯାଇଥିବା ବେଳେ ତାଙ୍କୁ ୨୫୦୦ ଏୟୁଡି ଜରିମାନା ମଧ୍ୟ ଭରିବାକୁ ପଡ଼ିବ। ୨ ଜାନୁଆରୀରେ ହେବାକୁ ଥିବା ମ୍ୟାଚ୍ ଖେଳିପାରିବେନି ଆଦାମ ଜାମ୍ପା। ତେବେ ଜାମ୍ପାଙ୍କ ପାଇଁ ମ୍ୟାଚ୍ ସମୟରେ ଅଭଦ୍ର ଭାଷା କହିବା ନୂଆ କଥା ନୁହେଁ। ଆଇସିସି ବିଶ୍ବକପ୍ ୨୦୧୯ ସମୟରେ ବି ଜାମ୍ପା ଅଭଦ୍ର ଭାଷା ପ୍ରୟୋଗ କରି ଚର୍ଚ୍ଚାରେ ଥିଲେ। କିନ୍ତୁ ସେତେବେଳେ ତାଙ୍କୁ ମ୍ୟାଚ୍ରୁ ବାସନ୍ଦ କରାଯାଇନଥିଲା।
ମେଲବର୍ନ ଷ୍ଟାର୍ସ ପକ୍ଷରୁ ଖେଳୁଥିବା ଜାମ୍ପା ଚଳିତ ସିଜନ୍ରେ ୪ ମ୍ୟାଚ୍ରୁ ୭ଟି ଓ୍ବିକେଟ ଅକ୍ତିଆର କରିସାରିଛନ୍ତି। ଗତ ମ୍ୟାଚ୍ରେ ମେଲବର୍ନ ଷ୍ଟାର୍ସ, ସିଡନୀ ଥଣ୍ଡର ପାଖରୁ ପରାଜୟ ସ୍ବିକାର କରିଥିଲା। ସିଡନୀ ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୧୯ ରନ୍ କରିଥିଲା। ଏହାର ଜବାବରେ ମେଲବର୍ନ ଷ୍ଟାର୍ସ କେବଳ ୧୪୪ ରନ୍ରେ ଅଲଆଉଟ୍ ହୋଇଥିଲେ।