ଦୁନିଆର ଏକମାତ୍ର କ୍ରିକେଟର ଯିଏ ଚଢ଼ିଛନ୍ତି ଏଭେରେଷ୍ଟ ଶୃଙ୍ଗ: ସ୍ବପ୍ନ ପୁରା କରିବାକୁ ଜୀବନକୁ ଲଗାଇଥିଲେ ବାଜିରେ
23/01/2021 at 5:29 PM

ନୂଆଦିଲ୍ଲୀ ୨୩/୦୧ : କ୍ରିକେଟ ଦୁନିଆରେ ଅନେକ ମହାନ ଖେଳାଳି ଅଛନ୍ତି ଯେଉଁମାନେ କ୍ରିକେଟ୍ ମଇଦାନ ବାହାରେ ବି କମାଲ କରିଛନ୍ତି, ଇତିହାସ ରଚନା କରିଛନ୍ତି, ଅନେକ ବିଶ୍ୱ ରେକର୍ଡ କରିଛନ୍ତି। କିନ୍ତୁ କ୍ରିକେଟ୍ ଇତିହାସରେ ଜଣେ ହିଁ ଏମିତି କ୍ରିକେଟର ଅଛନ୍ତି ଯିଏ ମାଉଣ୍ଟ ଏଭେରେଷ୍ଟ ଚଢ଼ିଛନ୍ତି। ସେ ହେଉଛନ୍ତି ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ୱିକେଟକିପର ଏଡମ ପରୋରେ ( Adam Parore)। ଆଜି ତାଙ୍କର ୫୦ତମ ଜନ୍ମଦିନ। ଅକଲ୍ୟାଣ୍ଡରେ ଜନ୍ମ ହୋଇଥିବା ଏଡମ ୭୮ ଟେଷ୍ଟ ମ୍ୟାଚ, ୧୭୯ ଏକଦିବସୀୟ ମ୍ୟାଚରେ ଦେଶର ପ୍ରତିନିଧିତ୍ବ କରିଛନ୍ତି। ୨୦୦୨ ରେ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ। ଏହାର ୯ ବର୍ଷ ପରେ ସେ ଇତିହାସ ରଚିଥିଲେ। ୨୦୧୧ ରେ ସେ ଦୁନିଆର ସବୁଠାରୁ ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ଚଢ଼ିଥିଲେ। ଏହାସହ ଏଭେରେଷ୍ଟ ଆରୋହଣ କରିବାରେ ବିଶ୍ୱର ଏକମାତ୍ର କ୍ରିକେଟରର ରେକର୍ଡ କରିଥିଲେ।

ଏଭେରେଷ୍ଟ ଯାତ୍ରା ସମ୍ପର୍କରେ ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ ସେ ମେ’ ମାସରେ ଏଭେରେଷ୍ଟ ଚଢ଼ିଥିଲେ। ଏଥିପାଇଁ ସେ ୨୦୧୧ ମାର୍ଚ୍ଚ ମାସରେ ହିଁ ନେପାଳରେ ପହଞ୍ଚି ଯାଇଥିଲେ ଯେପରି ସେଠାକାର ପାଣିପାଗ ସହ ନିଜକୁ ଖାପ ଖୁଆଇ ପାରିବେ।

ଏଭେରେଷ୍ଟ ଆରୋହଣ ଏଡମ ପରୋରେଙ୍କ ପାଇଁ ସହଜ ନଥିଲା। କିନ୍ତୁ ଏହା ତାଙ୍କର ଏକ ସ୍ବପ୍ନ ଥିଲା। ନିଜ ସ୍ବପ୍ନ ସାକାର କରିବାକୁ ଜୀବନକୁ ବାଜି ଲଗାଇଦେଇଥିଲେ। ଇଣ୍ଟରଭ୍ୟୁରେ ସେ ଏ ସମ୍ପର୍କରେ ଖୁଲାସା କରିଥିଲେ ଯେ ଆରୋହଣ ସମୟରେ ତାଙ୍କର ଅକ୍ସିଜେନ୍ ଶେଷ ହୋଇଯାଇଥିଲା। ତାଙ୍କ ସହ ଆରୋହଣ କରୁଥିବା ଶେରପାଙ୍କ କାରଣରୁ ସେ ବଞ୍ଚିଗଲେ।

ସେ ଏଭେରେଷ୍ଟ ଶିଖରରେ ପାଖାପାଖି ୨୦ ମିନିଟ୍ ସମୟ ଅତିବାହିତ କରିଥିଲେ। ସେଠାରେ କିଛି ଫଟୋ କ୍ଲିକ କରି ତାପରେ ଓହ୍ଲେଇବା ଆରମ୍ଭ କରିଥିଲେ। ଓହ୍ଲେଇବା ପରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା। ଏପରିକି ତାଙ୍କ ପାଟିରୁ ଆବାଜ ବି ବାହାରୁନଥିଲା। ଉପଚାର ପରେ ସେ ସୁସ୍ଥ ହୋଇଥିଲେ। ୧୯୯୦ ମସିହାରେ ଏଡମ ପରୋରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। ଦୁଇ ବର୍ଷ ପରେ ଜିମ୍ବାୱେ ବିପକ୍ଷରେ ଏକଦିବସୀୟ ମ୍ୟାଚରେ ଡେବ୍ୟୁ କରିଥିଲେ।