ଏହି ବୋଲରଙ୍କୁ ବିରାଟଙ୍କ ବିପକ୍ଷରେ ଅସ୍ତ୍ର କରିବ ଅଷ୍ଟ୍ରେଲିଆ, ପୂର୍ବରୁ ରନ୍ ମେସିନ୍‌ଙ୍କୁ କରିଛନ୍ତି ୫ ଥର ଆଉଟ୍

Published By : Prameya-News7 Bureau | November 22, 2020 IST

ସିଡନୀ,୨୨/୧୧:    ଭାରତୀୟ ଦଳ ନଭେମ୍ବର ୨୭ରୁ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଖେଳିବା ଆରମ୍ଭ କରିବ । ଦିନିକିଆରୁ ହିଁ ସିରିଜ ଆରମ୍ଭ ହେବ । ଏହାକୁ ନଜରରେ ରଖି ଉଭୟ ଦଳ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ବିପକ୍ଷ ବୋଲର ଓ ବ୍ୟାଟସମ୍ୟାନଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ମଧ୍ୟ ଆପଣାଉଛନ୍ତି । ପୂର୍ବରୁ ଖେଳାଯାଇଥିବା ସିରିଜରେ ଭାରତ ବିଜୟୀ ହୋଇଥିଲେ । ଏହାର ନାୟକ ଥିଲେ ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କ ଅନୁପସ୍ଥିତିରେ ଏବେ ଅଧିନାୟକ ବିରାଟ କୋହଲଙ୍କ ଉପରେ ଭାର ଅଧିକ । ବିରାଟ ହେଉଛନ୍ତି ବର୍ତ୍ତମାନ ସମୟରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ । ତେବେ ଅଷ୍ଟ୍ରେଲିଆ ପାଖରେ ବିରାଟଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାନ୍ ରହିଛି । ଏହାକୁ କଙ୍ଗାରୁ ଟିମ୍ ମ୍ୟାଚରେ ବ୍ୟବହାର କରିପାରେ ।

ଅଷ୍ଟ୍ରେଲିଆରେ ବିରାଟଙ୍କ ରେକର୍ଡ ଭଲ ରହିଛି । ସେ ଦିନିକିଆରେ ୫୦.୧୭ ଆଭରେଜରେ ୨୬ଟି ଇନିଂସରେ ୧୧୫୪ ରନ୍ କରିଛନ୍ତି । ଏହାମଧ୍ୟରେ ୫ଟି ଶତକ ଓ ୪ଟି ଅର୍ଦ୍ଧଶତକ ରହିଛି । ବିରାଟଙ୍କ ବ୍ୟାଟକୁ ରୋକିବା ପାଇଁ ଅଷ୍ଟ୍ରେଲିଆ ଆଡାମ ଜାମ୍ପାଙ୍କୁ ବ୍ୟବହାର କରିବ । ଜାମ୍ପା ବିରାଟଙ୍କୁ ପୂର୍ବରୁ ୫ ଥର ଆଉଟ୍ କରିଛନ୍ତି ।

{"id":365690,"sizeSlug":"large"}

ଜାମ୍ପା ବିରାଟଙ୍କୁ ୧୪୮ ବଲ୍ ପକାଇଥିବା ବେଳେ ୧୭୪ ରନ୍ ଦେଇଛନ୍ତି । ନିକଟରେ ଭାରତ ସହ ଅଷ୍ଟ୍ରେଲିଆ ଖେଳିଥିବା ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ଜାମ୍ପା ବିରାଟଙ୍କୁ ଆଉଟ୍ କରିଥିଲେ । ଟି୨୦ରେ ମଧ୍ୟ ଜାମ୍ପା ବିରାଟଙ୍କୁ ୨ ଥର ଆଉଟ୍ କରିଛନ୍ତି । କିନ୍ତୁ ସବୁଠାରୁ ଭଲ କଥା ହେଉଛି ଯେ, ବିରାଟ ଲେଗ୍ ସ୍ପିନରଙ୍କ ବିପକ୍ଷରେ ଭଲ ଖେଳନ୍ତି । ଲେଗ୍ ସ୍ପିନ ବିପକ୍ଷରେ ବିରାଟଙ୍କ ଷ୍ଟ୍ରାଇକ୍ ରେଟ୍ ୧୦୯.୨୫ ରହିଛି । ଏହାସହ ଆଭରେଜ୍ ମଧ୍ୟ ୬୦ ଉପରେ ରହିଛି ।

ସୂଚନାଯୋଗ୍ୟ, ଆସନ୍ତା ୨୭ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ । ଦ୍ୱିତୀୟ ଦିନିକିଆ ୨୯ ଓ ତୃତୀୟ ଡିସେମ୍ବର ୨ ତାରିଖରେ ଖେଳାଯିବ । ସେହିପରି ଡିସେମ୍ବର ୪ରୁ ଟି୨୦ ସିରିଜ ଆରମ୍ଭ ହେବ । ଏହାପରେ ଡିସେମ୍ବର ୧୭ରୁ ଟେଷ୍ଟ୍ ସିରିଜ୍ ଖେଳାଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.