ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ଅଭିନେତ୍ରୀଙ୍କ ଫଟୋ : ସୋସିଆଲ ମିଡିଆରେ ଘୂରିଲା ପରେ ବିଭାଗ ଚେତିଲା, ମୁହଁ ଖୋଲିଲେ ମନ୍ତ୍ରୀ

Published By : Prameya-News7 Bureau | February 13, 2020 IST

ଭୁବନେଶ୍ବର ୧୩।୨: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ଅଭିନେତ୍ରୀଙ୍କ ଫଟୋ । ପରୀକ୍ଷାର୍ଥୀ ଛାନିଆ, ଅଭିଭାବକ ଚିନ୍ତିତ । କାରଣ ଆଉ ମାତ୍ର ସପ୍ତାହେ ପରେ ମାଟ୍ରିକ୍ ପରୀକ୍ଷା । ପରୀକ୍ଷା ପୂର୍ବରୁ ପିଲାଙ୍କ ଭବିଷ୍ୟତ ସହ ଶିକ୍ଷା ବିଭାଗ ଖେଳ ଖେଳୁଛି ବୋଲି ଅଭିଯୋଗ ।

ଏଭଳି ଘଟଣା ସମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଅଧିନରେ ଥିବା ରଘୁନାଥ ଉଚ୍ଚ ବିଦ୍ୟାଳୟ ରାଇକମା ବିଦ୍ୟାଳୟର । ବିଦ୍ୟାଳୟର ଅଭିଜିତ କବାଟ ନାମକ ଦଶମ ଶ୍ରେଣୀ ଛାତ୍ରଙ୍କ ଆଡମିଟ୍ କାର୍ଡରେ ଲାଗିଥିଲା ଅଭିନେତ୍ରୀଙ୍କ ଫଟୋ । ମାତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅତୁଲ କୁମାର ମିଶ୍ର କହିଥିଲେ ଛାତ୍ରଙ୍କ ଆଡମିଟ୍ କାର୍ଡରେ ଥିବା ଫଟୋ ଅଭିନେତ୍ରୀଙ୍କର ନୁହେଁ । ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରଧାନ ଶିକ୍ଷକ ସଙ୍ଗେ ସଙ୍ଗେ ମାଧ୍ୟମିକ ଶିକ୍ଷା ପରିଷଦ ସହ ଯୋଗାଯୋଗ କରିଥିଲେ । ଯୋଗାଯୋଗ କରିବାର ଅଧଘଣ୍ଟାଏ ମଧ୍ୟରେ ତାହା ସଂଶୋଧନ ହୋଇଥିବା ଜଣାପଡିଛି ।

ତେବେ ପରୀକ୍ଷାର ମାତ୍ର ଦିନ କେଇଟା ପୂର୍ବରୁ ମାଟ୍ରିକ୍ ଆଡମିଟ୍ କାର୍ଡରେ ଏପରି ବିଭ୍ରାଟରୁ ଶିକ୍ଷା ବିଭାଗ ପିଲାଙ୍କ ପ୍ରତି କେତେ ତତ୍ପର ତାହା ପଦାରେ ପଡିଛି । ଜଣେ ଛାତ୍ରଙ୍କ ଆଡମିଟ୍ କାର୍ଡରେ ଅଭିନେତ୍ରୀଙ୍କ ଫଟୋ ଥିବା ଓ୍ବେବସାଇଟ୍ ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ ପରେ ଜଣାପଡିଥିଲା ।

ଏହି ବିଭ୍ରାଟ ନେଇ ହୋହଲ୍ଲା ପରେ ଆକ୍ସନ ମୋଡ୍ କୁ ଆସିଛନ୍ତି ବିଭାଗୀୟ ମନ୍ତ୍ରୀ । ଆଡମିଟ୍ କାର୍ଡରେ ଲାଗିଥିଲା ଅଭିନେତ୍ରୀଙ୍କ ଫଟୋ ଆଉ ଆଡମିଟ୍ କାର୍ଡ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ନକଲି ଆଡମିଟ୍ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପରୀକ୍ଷାକୁ ବିଭ୍ରାନ୍ତ ଓ ବୋର୍ଡକୁ ବଦନାମ୍ କରିବାକୁ ଏଭଳି କରାଯାଇଛି । ଆଡ୍‌ମିଟ କାର୍ଡରେ ଭୁଲ୍‌ ଥିଲେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା  ଦେବାରୁ ବଞ୍ଚିତ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.