ନିଜ ଜୀବନର ସବୁଠୁ ବଡ ଭୁଲ କଲେ ପ୍ରକାଶ- ନିନା ଗୁପ୍ତା
20/10/2019 at 4:16 PM

ମୁମ୍ବାଇ୨୦|୧୦: ବରିଷ୍ଠ ଅଭିନେତ୍ରୀ ନିନା ଗୁପ୍ତାଙ୍କୁ ଆଗାମୀ ଅନେକ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମ ତାଲିକାରେ ଶୁଭ ମଂଗଲ ଜ୍ୟାଦା ସାବଧାନ ଭଳି ସିନେମା ଅଛି।ଫିଲ୍ମରେ ନିନାଙ୍କ ବ୍ୟତୀତ ଗଜରାଜ ରାୱ, ଆୟୁଷ୍ମାନ ଖୁରାନା ଓ ଭୂମି ପେଦନେକର ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମ ପୂର୍ବରୁ ନିନା ଆୟୁଷ୍ମାନଙ୍କ ସହ ବଧାଇ ହୋ ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ବ୍ଲକବଷ୍ଟର ହିଟ୍ ହୋଇଥିଲା।

ନିକଟରେ ନିନା ନିଜ କ୍ୟାରିଅର ନେଇ କିଛି ରାଜ ଖୋଲିଥିଲେ। ନିନାଙ୍କ କହିବା ଅନୁସାରେ ପୁରୁଷଙ୍କୁ ପ୍ରାଥମିକତା ଦେବା ତାଙ୍କ ଜୀବନର ସବୁଠୁ ବଡ ଭୁଲ। ଯେଉଁଥିପାଇଁ ତାଙ୍କ ଧ୍ୟାନ କ୍ୟାରିଅରରୁ ହଟି ସଠିକ୍ ପାର୍ଟନର ଖୋଜିବାରେ ଥିଲା। ୬୦ ବର୍ଷ ବୟସ୍କା ବଲିଉଡ ଅଭିନେତ୍ରୀ ନିନା ଗୁପ୍ତା ୱେଷ୍ଟଇଣ୍ଡିଜ୍ କ୍ରିକେଟର ଭିଭିଆନ ରିଚାର୍ଡ୍ସଙ୍କୁ ଲମ୍ବା ସମୟ ଯାଏଁ ଡେଟ କରୁଥିଲେ । ସେମାନେ ରିଲେସନଶିପରେ ଥିଲେ ସତ କିନ୍ତୁ ବିବାହ କରି ନଥିଲେ।

ଉଭୟଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ତାଙ୍କ ନାଁ ହେଉଛି ମସାବା। ତେବେ ୨୦୦୮ ମସିହାରେ ସେ ପୁଣି ବିବେକ ମେହେରାଙ୍କୁ ବିବାହ କରିଥିଲେ।ନିନା ଗୁପ୍ତାଙ୍କ କହିବା ଅନୁସାରେ ସେ କିଛି ଭଲ କାମ କରିବାକୁ ଚାହୁଁଥିଲେ। ଦମଦାର ଭୂମିକାରେ ପରଦାରେ ଅଭିନୟ କରିବା ତାଙ୍କ ଲକ୍ଷ୍ୟ ଥିଲା। ହେଲେ ଏବେ ସେ ପଛକୁ ମୋଡି ଦେଖିଲେ ତାଙ୍କର ସବୁ ଭୁଲ ବିଷୟରେ ମନେ ପକାନ୍ତି। ତାଙ୍କ ଧ୍ୟାନ କ୍ୟାରିଅର ଉପରେ ରହିବା ଜରୁରୀ ଥିଲା।

ହେଲେ ସେ ପୁରୁଷଙ୍କୁ ଗୁରୁତ୍ବ ଦେଉଥିଲେ। କାରଣ ତାଙ୍କୁ ଜଣେ ଭଲ ଜୀବନସାଥୀର ଅପେକ୍ଷା ଥିଲା। ସେ କହିଛନ୍ତି ଯେ, ମହିଳାଙ୍କ ଜୀବନରେ ପୁରୁଷ କେବେ ବି ପ୍ରାଥମିକତା ହେବା ଅନୁଚିତ୍। ଯେଉଁ ପୁରୁଷମାନେ ନିଜଠୁ ଉଚ୍ଚ ପଦରେ ଥିବା ମହିଳାଙ୍କୁ ସମ୍ମାନ ଦେଉଥିବେ ଓ ଭଳ ପାଉଥିବେ ସେହିଭଳି ପୁରୁଷଙ୍କୁ ମହିଳାମାନେ ବାଛିବା ଉଚିତ୍।ହେଲେ ଏଭଳି ପୁରୁଷ ବହୁତ କମ ଥାନ୍ତି। ଏମିତି ହୋଇଥିଲେ ସଂସାରରେ କେହି ଦୁଃଖି ନଥାନ୍ତେ। ଏବେ ନିନା ନିଜ ଜୀବନରେ ବେଶ ଖୁସିରେ ଅଛନ୍ତି ଓ ନିଜ କ୍ୟାରିଅର ଉପରେ ଫକୋସ କରୁଛନ୍ତି।