ଜୁଆ ଆଡ୍ଡା ଚଲାଇବା ଅଭିଯୋଗରେ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ସ୍ବାମୀ ହିମାଳୟ ଦାସାନୀ ଗିରଫ
3/07/2019 at 4:20 PM

ମୁମ୍ବାଇ ୩/୭: ପୋଲିସ୍ ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ସ୍ବାମୀ ହିମାଲୟ ଦାସାନୀଙ୍କୁ ଗିରଫ କରିଛି। ତାଙ୍କ ନାଁରେ ଅଭିଯୋଗ ହୋଇଛି ଯେ ହିମାଳୟ ମୁମ୍ବାଇର ଲୋଖଣ୍ଡଓ୍ବାଲା ଅଞ୍ଚଳରେ ଜୁଆ ଆଡ୍ଡା ଚଲାଉଥିଲେ। ପୋଲିସ୍ ଏହି ମାମଲାରେ କେତେକ ଲୋକଙ୍କୁ ହେପାଜତକୁ ନେଇ ପଚରାଉଚୁରା ଜାରି ରଖିଛି। ହିମାଳୟ,ଭାଗ୍ୟଶ୍ରୀଙ୍କ ସହ ଗୋଟିଏ ଫିଲ୍ମରେ ଅଭିନେତା ଭାବେ ମଧ୍ୟ କାମ କରିଛନ୍ତି।

ସୂଚନା ଅନୁଯାୟୀ ଜୁନ ୧୧ତାରିଖରେ ଅନ୍ଧେରୀ ପଶ୍ଚିମର ଲୋଖଣ୍ଡଓ୍ବାଲାର ଏକ ଫ୍ଲାଟରେ ଜୁଆ ଖେଳୁଥିବାବେଳେ ୨୧ଜଣଙ୍କୁ ଗିରଫ କରିଥିଲା। ଏଠାରୁ କାର୍ଡ଼,ପୋକରର ବହି ଏବଂ ୭.୫ଲକ୍ଷ ଟଙ୍କା ଜବତ କରାଯାଇଥିଲା। ପୋଲିସ୍ ଫ୍ଲାଟର କେୟାରଟେକରକୁ ମଧ୍ୟ ହେପାଜତକୁ ନେଇଛି। ଏହି କେୟାରଟେକର କହିଥିଲା ଯେ ଏହି ଆଡ୍ଡାର ମାଲିକ ହିମାଳୟ ଦାସାନୀ ଏବଂ ତାଙ୍କ ପାର୍ଟନର କରଣ ଠକ୍କର।

ଫ୍ଲାଟରୁ ଏକ ଲାଲ ରଙ୍ଗର ଡାଇରୀ ମଧ୍ୟ ମିଳିଥିଲା,ଯେଉଁଥିରେ ଜୁଆ ଆଡ୍ଡାର ମାଲିକର ନାଁ ପରିବର୍ତେ୍ ହିମାଳୟ ଦାସାନୀଙ୍କ ନାଁ ଥିଲା। ଏହାପରେ ତଦନ୍ତ ଆରମ୍ଭ ହୋଇଥିଲା ଏବଂ ସୋମବାର ହିମାଳୟଙ୍କୁ ଅମ୍ବୋଲି ପୋଲିସ ଷ୍ଟେସନ ଡକାଯାଇଥିଲା ଏବଂ ଅନେକ ସମୟ ପଚରାଉଚୁରା କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗତକାଲି ତାଙ୍କୁ ଜାମିନରେ ଛଡ଼ାଯାଇଛି।
