ଆର୍ଥିକ ସମସ୍ୟା ଯୋଗୁଁ ପରିବା ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ଅଭିନେତା ଜାଭେଦ ହାଇଦର : ଡଲି ବିନ୍ଦ୍ରା ସେୟାର କଲେ ଭିଡିଓ
27/06/2020 at 3:12 PM

ମୁମ୍ବାଇ ୨୭/୬: କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଅନେକ ଲୋକ ନିଜ ନିଜର ବେଉସା ହରାଇଛନ୍ତି। ଲକଡାଉନ୍ ପରଠୁ ଅନେକ ଲୋକଙ୍କ ଚାକିରୀ ଚାଲିଯାଇଛି। ଏହି ସଙ୍କଟ ଯୋଗୁଁ କେବଳ ସାଧାରଣ ଲୋକ ନୁହେଁ ବରଂ ଅଭିନେତାମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। କେତେକ ଟିଭି ଧାରାବାହିକ ଏବଂ ଫିଲ୍ମର ସୁଟିଂ ଆରମ୍ଭ ନ ହେବା କାରଣରୁ ଏମାନଙ୍କୁ ମଧ୍ୟ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ସମୟରେ ଅଭିନେତା ଜାଭେଦ ହାଇଦରଙ୍କ ମଧ୍ୟ ଏକ ଟିକଟକ୍ ଭିଡିଓ ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି।
ଏହି ଭିଡିଓ କ୍ଲିପକୁ ଅଭିନେତ୍ରୀ ଡଲି ବିନ୍ଦ୍ରା ସେୟାର କରିଛନ୍ତି। ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ କିପରି ଆମୀର ଖାନଙ୍କ ଫିଲ୍ମ ଗୁଲାମରେ କାମ କରିଥିବା ଅଭିନେତା ଜାଭେଦ ହାଇଦରଙ୍କୁ ପରିବା ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଇବାକୁ ପଡ଼ୁଛି। ହାଇଦର ଗ୍ରାହକଙ୍କୁ ପରିବା ବିକ୍ରି ବେଳେ ଟିକଟକ୍ ଭିଡିଓ କରୁଛନ୍ତି। ତାଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି। ଡଲି ବିନ୍ଦ୍ରା ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ହାଇଦର ‘ଦୁନିଆ ମେ ରେହନା ହେ ତୋ କାମ କର ପ୍ୟାରେ’ ଗୀତରେ ଆକ୍ଟିଂ କରୁଥିବା ନଜର ଆସିଛନ୍ତି।
ଡଲି ବିନ୍ଦ୍ରା ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି,‘ସେ ଜଣେ ଅଭିନେତା,ଆଜି ସେ ପରିବା ବିକ୍ରି କରୁଛନ୍ତି,ଜାଭେଦ ହାଇଦର।’ କରୋନା ଭାଇରସ୍ ଲକଡାଉନରେ ଅନ୍ୟ କ୍ଷେତ୍ର ସହ ମନୋରଞ୍ଜନ ଜଗତ ମଧ୍ୟ ଅଧିକ ପ୍ରଭାବିତ ହୋଇଛି।