ଡ୍ରଗସ୍ ତସ୍କରୀ ମାମଲାରେ ଫିଲ୍ମ ABCD ଅଭିନେତା କିଶୋର ସେଟ୍ଟି ଗିରଫ
19/09/2020 at 9:55 PM

ମୁମ୍ବାଇ ୧୯।୯: କର୍ଣ୍ଣାଟକ ଡ୍ରଗ୍ସ ମାମଲାରେ ଅନେକ ଫିଲ୍ମ ଷ୍ଟାର ଗିରଫ ହେଲେଣି। ଏଥିରେ ଦକ୍ଷିଣର କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚ ଟିମ୍ ଶନିବାର ଡ୍ରଗ୍ସ ମାମଲାରେ ଡ୍ୟାନସର କିଶୋର ସେଟ୍ଟିଙ୍କୁ ଗିରଫ କରିଛି। କିଶୋର ତାଙ୍କ ପାଖରେ ନିଶା ସାମଗ୍ରୀ ରଖିଥିବାର ଅଭିଯୋଗ ହୋଇଛି ଓ ମାମଲାରେ ପୋଲିସ ତାଙ୍କୁ ଏବେ ପଚରାଉଚରା କରୁଛି। ଏଥିରୁ ମିଳୁଥିବା ସୂଚନାରୁ ଡ୍ରଗ୍ସ କେସର ଲିଙ୍କ ମୁମ୍ବାରେ ଥିବା ଜଣାପଡିଛି।

କିଶୋର ରିୟେଲିଟି ସୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ କାର୍ଯ୍ୟକ୍ରମରୁ ପରଦା ଜଗତରେ ପାଦ ପକାଇଥିଲେ। ରିମୋ ଡିସୁଜାଙ୍କ ଫିଲ୍ମ ‘ଏବିସିଡି’ ରେ ମଧ୍ୟ ସେ ଅଭିନୟ କରିଥିଲେ। ଦେଖୁ ଦେଖୁ କିଶୋର ସମସ୍ତଙ୍କ ନଜରକୁ ଆସିଯାଇଥିଲେ। ଏବେ ତାଙ୍କୁ ପୋଲିସ ଗିରଫ କରିଛି। ମାଙ୍ଗାଲୁରୁ ପୋଲିସ କମିଶନର ବିକାଶ କୁମାରଙ୍କ ଅନୁସାରେ କିଶୋରଙ୍କ ନିକଟରୁ ନିଷିଦ୍ଧ ନିଶା ସାମଗ୍ରୀ ଏମଡିଏମଏ ମିଳିଛି। ପୋଲିସ କିଶୋରଙ୍କ ବ୍ୟତୀତ ମାଙ୍ଗାଲୁର ନିକଟସ୍ଥ ସୁରତକଳର ଅକିଲ ଓରଫ ନଶିଲାକୁ ମଧ୍ୟ ଗିରଫ କରିଛି।

ସୂଚନା ଅନୁସାରେ ଏମାନେ ମୁମ୍ବାଇରୁ ନିଶାସାମଗ୍ରୀ ଆଣି ମାଙ୍ଗାଲୁରୁରେ ବିକିବା ଲାଗି ଯୋଜନା କରୁଥିଲେ। ପୋଲିସ ସେମାନଙ୍କ ଠାରୁ ନିଶା ସାମଗ୍ରୀ ସମେତ ଗୋଟିଏ ଡିସ୍କଭରି ବାଇକ୍, ୨ଟି ମୋବାଇଲ ଫୋନ ପୋଲିସ ଜବତ କରଇଛି। ପୋଲିସ ଠୋସ ସୂଚନା ଆଧାରରେ ଅକିଲକୁ ସୁରତକଳରୁ ଓ ତା ସୂଚନା ଆଧାରରେ କିଶୋରକୁ ମାଙ୍ଗାଲୁରରୁ ଗିରଫ କରିଥିଲା।