ସଲମାନଙ୍କ ନାଁରେ ଠକେଇ କରିଥିବା ମହିଳାଙ୍କ ବିରୋଧରେ ମାମଲା ରୁଜ୍ଜୁ କଲେ ଟିଭି ଅଭିନେତା

Published By : Prameya-News7 Bureau | May 17, 2020 IST

ମୁମ୍ବାଇ ୧୭/୦୫ : ଫିଲ୍ମରେ ଅଭିନୟ ମଉକା ଦେବା ବାହାନାରେ କାଷ୍ଟିଙ୍ଗ ଏଜେନ୍ସି ନାଁରେ ଲୋକଙ୍କୁ ଭଣ୍ଡାଉଥିବା ମାମଲା ସବୁବେଳେ ସାମ୍ନାକୁ ଆସିଥାଏ | ଫିଲ୍ମରେ କାମ ଯୋଗାଇଦେବା ବାହାନାରେ ଏହିଭଳି ଅନେକ ଏଜେନ୍ସି ଲୋକଙ୍କ ଠାରୁ ଟଙ୍କା ଠକି ନେଇଥାନ୍ତି | ବର୍ତ୍ତମାନ ଏହିଭଳି ଏକ ଠକେଇ ହୋଇଛି ବଲିଉଡର ଭାଇଜାନ ସଲମାନ ଖାନଙ୍କ ନାଁରେ | ସଲମାନ ଖାନଙ୍କ ପ୍ରଡକ୍ସନ କମ୍ପାନୀ, ସଲମାନ ଖାନଙ୍କ ନାଁରେ ଠକେଇ କରିଥିବା ଭଳି ଏକ ମାମଲା ସାମ୍ନାକୁ ଆସିଛି | SKF ନାଁରେ କିଛି ଲୋକଙ୍କୁ ଇ-ମେଲ ପଠାଯାଇଥିଲା | ସଲମାନ ଖାନଙ୍କ ଆଗାମୀ ଫିଲ୍ମର ଅଡିସନରେ ସାମିଲ ହେବା ପାଇଁ ମିଛ ଅଫର ଦିଆଯାଇଥିଲା | ଏହି ମାମଲାକୁ ଜଣାଶୁଣା ଟିଭି ଅଭିନେତା ଅଂଶ ଅରୋରା ଉଠାଇଛନ୍ତି | ଏହି ଠକେଇ ମାମଲାରେ ସେ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି |  

ଅଂଶ ଅରୋରା ପୁରା ମାମଲାର ଖୁଲାସା କରିଛନ୍ତି | ଏବିପି ରିପୋର୍ଟ ଅନୁଯାୟୀ, ଅଂଶ ଅରୋରାଙ୍କୁ [email protected] ରୁ ଏକ ଇ-ମେଲ ଆସିଥିଲା | ଇ-ମେଲ ଜରିଆରେ ସଲମାନ ଖାନଙ୍କ ଫିଲ୍ମରେ ଅଭିନୟ ପାଇଁ ତାଙ୍କୁ ଅଫର କରାଯାଇଥିଲା | ଏହି ଇ-ମେଲ ଆଧାରରେ ଅଂଶ ଅରୋରା ମୁମ୍ବାଇ ଓସିବରା ପୋଲିସ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି |

ଅଂଶ କହିଛନ୍ତି ଯେ, ଇ-ମେଲ ଜରିଆରେ ସଲମାନଙ୍କ ଆଗାମୀ ଫିଲ୍ମ 'ଟାଇଗର ଜିନ୍ଦା ହୈ ୩' ରେ ନେଗେଟିଭ ରୋଲରେ ଅଭିନୟ କରିବା ପାଇଁ ମଉକା ଦିଆଯିବ | ମାର୍ଚ୍ଚ ୩ ତାରିଖରେ ସଲମାନ ଖାନ ଏବଂ ନିର୍ଦେଶକ ପ୍ରଭୁ ଦେବାଙ୍କ ସହ ଏକ ମିଟିଂ ଥିବା ମଧ୍ୟ କୁହାଯାଇଥିଲା | କିନ୍ତୁ ପରେ ଏହି ମିଟିଂ କ୍ୟାନସେଲ କରିଦିଆଯାଇଥିଲା | ସୃତି ନାମକ ଜଣେ ମହିଳାଙ୍କ ସହ ଅଂଶ କଥା ହୋଇଥିଲେ ବୋଲି କହିଛନ୍ତି | ତେବେ ଅଂଶଙ୍କୁ କେବଳ ଇ-ମେଲ ଆସିନଥିଲା ବରଂ କଲ ଓ ମେସେଜ ଜରିଆରେ ମଧ୍ୟ ଯୋଗାଯୋଗ କରାଯାଇଥିଲା | ଫିଲ୍ମ ପାଇଁ ପ୍ରୋଫାଇଲ ଓ ଭିଡିଓ ପଠାଇବା ପାଇଁ କୁହାଯାଇଥିଲା | ତେବେ ସଲମାନ ଖାନଙ୍କ ଭଳି ଅଭିନେତା ଏବଂ ପ୍ରଭୁ ଦେବାଙ୍କ ଭଳି ନିର୍ଦେଶକ ତାଙ୍କୁ କିଭଳି ନିଜ ଫିଲ୍ମ ପାଇଁ ଚୟନ କରିଛନ୍ତି ତାହା ସେ ବୁଝି ପାରୁନଥିଲେ | କଥାଟା ତାଙ୍କୁ ଭାରି ଅଡୁଆ ଲାଗୁଥିଲା | ପରେ ସତ ଜାଣିବା ପରେ ସେ ଥାନାରେ ମାମଲା ରୁଜ୍ଜୁ କରିଥିଲେ | ଅଂଶ ଅରୋରା ପୂର୍ବରୁ କସମ ଓ କ୍ୱିନ ଭଳି ଟିଭି ଧାରାବାହିକରେ କାମ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.