ତାଲିବାନର ବର୍ବରତା : ମହିଳାଙ୍କ ଅଧିକାର ପାଇଁ ଲଢୁଥିବା ସାମାଜିକ କର୍ମୀଙ୍କୁ ଗୁଳିକରି ହତ୍ୟା, ମହିଳା ଡାକ୍ତର ଓ ନର୍ସଙ୍କୁ ହସ୍ପିଟାଲ ମନା

Published By : Prameya-News7 Bureau | November 06, 2021 IST

ନୂଆଦିଲ୍ଲୀ ୦୬/୧୧ : ଆଫଗାନିସ୍ତାନରେ ତାଲିବାନ ସରକାର ଗଢିବା ଦିନ ଠାରୁ ଲୋକମାନଙ୍କ ଜୀବନ ଜୀବିକା ଦୁର୍ବିଶହ ହୋଇପଡିଛି । ଭୟରେ କାଳାତିପାତ କରୁଛନ୍ତି ଲୋକେ । ପ୍ରତି ମୂହୁର୍ତ୍ତରେ ଭୟରେ ବଞ୍ଚିବାକୁ ପଡୁଛି । ଏପରିକି ମହିଳାଙ୍କ ସୁରକ୍ଷା ପାଇଁ ଲଢୁଥିବା ସାମାଜିକ କର୍ମୀ ଏବଂ ସାମ୍ବାଦିକ ମାନେ ମଧ୍ୟ ଭୟରେ ରହୁଛନ୍ତି। ଏଭଳି ଏକ ଘଟଣାକ୍ରମେ ଜଣେ ୨୯ ବର୍ଷୀୟା ମହିଳା ସୋସିଆଲ ଆକଟିଭିଷ୍ଟଙ୍କୁ ଗୁଳିକରି ହତ୍ୟା କରିଛନ୍ତି ତାଲିବାନୀ ଆତଙ୍କବାଦୀ । ଫ୍ରୋଜାନ୍‌ ସାଫି ନାମକ ଏହି ମହିଳା ସାମାଜିକ କର୍ମୀଙ୍କୁ ତାଙ୍କ ଘର ଭିତରେ ପଶି ଗୁଳି କରି ହତ୍ୟା କରାଯାଇଛି । ସାଫି ଜଣେ ଅର୍ଥନୀତି ଅଧ୍ୟାପିକା ଥିଲେ । ଏହା ସହିତ ସେ ମହିଳାଙ୍କ ସୁରକ୍ଷା ତଥା ଅଧିକାର ପାଇଁ ଅନବରତ ଭାବେ କାର୍ଯ୍ୟ କରିଆସୁଥିଲେ ।

ପ୍ରଥମ ଥର ପାଇଁ ମହିଳା ସୁରକ୍ଷା ତଥା ଅଧିକାର ପାଇଁ ଲଢୁଥିବା ଜଣେ ମହିଳାଙ୍କୁ ଗୁଳିକରି ହତ୍ୟା କରିଛି ତାଲିବାନ । ଆଫଗାନିସ୍ତାନର ଜଣେ ଡାକ୍ତର ମିରାଜ୍‌ ଫାରୋକି କହିଛନ୍ତି, ତାଲିବାନୀ ଆତଙ୍କବାଦୀମାନେ ଦୁଇଟି ଶବ ନେଇ ହସ୍ପିଟାଲକୁ ଆସିଥିଲେ । ଯେଉଁମାନଙ୍କୁକି ସେମାନେ ଗୁଳିକରି ହତ୍ୟା କରିଥିଲେ । ସାଫିଙ୍କ ଶବକୁ ହସ୍ପିଟାଲର ଏକ ଶବାଗାରରେ ଫିଙ୍ଗି ଚାଲିଯାଇଥିଲେ ତାଲିବାନୀ । ପରେ ସାଫିଙ୍କ ଭଉଣୀ ଆସି ଶବ ଚିହ୍ନଟ କରିଥିଲେ । ଆଫଗାନିସ୍ତାନରେ ତାଲିବାନୀ ବିରୋଧୀ ମୋର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି । ମହିଳାମାନେ ଆନ୍ଦୋଳନକୁ ଓହ୍ଲାଉଛନ୍ତି । ସାରା ଦେଶରେ ତାଲିବାନୀ ବିରୋଧୀ ନାରା ଜୋର ଧରିଥିବା ବେଳେ ଆତଙ୍କ ଖେଳାଇ ଚାଲିଚନ୍ତି ତାଲିବାନୀ ଆତଙ୍କବାଦୀ । ଫ୍ରୋଜାନ୍‌ ସାଫିଙ୍କ ହତ୍ୟାକୁ ପରେ ଏବେ ଆଫାଗାନିସ୍ତାନର ବିଭିନ୍ନ ସଂଗଠନ ମୁହଁ ଖୋଲିଛନ୍ତି ।

ତାଲିବାନୀମାନେ ମହିଳା ଡାକ୍ତର କିମ୍ବା ନର୍ସମାନଙ୍କୁ ମଧ୍ୟ କର୍ମସ୍ଥଳକୁ ପଠାଇବାକୁ ମନା କରିଦେଇଛି । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିୟୋଜିତ ଥିବା ମହିଳାମାନେ ଏବେ ନାଚାର । ଯାହା ଫଳରେ ସେମାନେ ଏହି ଆନ୍ଦୋଳନରେ ସାମିଲ ହେଉଛନ୍ତି । ତାଲିବାନୀ ଶାସନରେ ଅତିଷ୍ଠ ହୋଇଗଲେଣି ଦେଶବାସୀ । ତେଣୁ ଆଗାମୀ ଦିନରେ ସ୍ଥିତି ଆହୁରି ସାଂଘାତିକ ହେବା ନେଇ ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.