ନିଲ୍ ରେଜଲ୍ଟ କରିଥିବା ୯ କଲେଜ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ୧୭ରୁ ପିଲାଙ୍କୁ ମିଳିବ ପ୍ରୋଭିଜନାଲ ସାର୍ଟିଫିକେଟ

Published By : Prameya-News7 Bureau | June 03, 2019 IST

ଭୁବନେଶ୍ବର୩|୬: ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ । ଭୁବନେଶ୍ବର ଜୟଦେବ ଭବନ ଗୀତଗୋବିନ୍ଦ ଅଡିଟୋରିୟମରେ ଫଳ ପ୍ରକାଶ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ବର୍ଷ ପାସ ହାର ୭୨.୩୩ ପ୍ରତିଶତ ରହିଛି । ଯାହାକି ଗତବର୍ଷ ତୁଳନାରେ ୪ ପ୍ରତିଶତ କମ୍ ବୋଲି ଜଣାପଡିଛି । ୨୯ ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । କିନ୍ତୁ ୯ଟି କଲେଜରେ ରେଜଲ୍ଟ ନିଲ୍ ହୋଇଛି । ତେବେ କାହିଁକି ଓ କଣ ପାଇଁ ରେଜଲ୍ଟ ନିଲ୍ ହୋଇଛି ତାର ତଦନ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । …

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଶ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭୁବନେଶ୍ବର ଜୟଦେବ ଭବନ ଗୀତଗୋବିନ୍ଦ ଅଡିଟୋରିୟମରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ ପାସ୍ ହାର ହେଉଛି ୭୨.୩୩ ପ୍ରତିଶତ । ପରୀକ୍ଷା ଦେଇଥିଲେ ୯୭ ହଜାର ୭୫୦ ଜଣ ପରୀକ୍ଷାର୍ଥୀ । ସେମାନଙ୍କୁ ମଧ୍ୟରୁ ପାସ୍ କରିଛନ୍ତି ୭୦ ହଜାର ୭୦୬ ଜଣ ପରୀକ୍ଷାର୍ଥୀ । ପ୍ରଥମ ଶ୍ରେଣୀରେ ୨୯.୪୨ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୩୩.୮୧ ପ୍ରତିଶତ ଓ ତୃତୀୟ ଶ୍ରେଣୀରେ ୩୫.୮୭ ପ୍ରତିଶତ ପିଲା ପାସ୍ କରିଛନ୍ତି । ୬୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ଚଳିତ ବର୍ଷ ପାସ୍ ହାରରେ ଫୁଅଙ୍କ ତୁଳନାରେ ଆଗରେ ଅଛନ୍ତି ଝିଅ । ସେହିପରି ବାଲେଶ୍ବରରେ ସର୍ବାଧିକ ପାସ୍ ହାର ୮୬.୫୬ ପ୍ରତିଶତ ଥିବା ବେଳେ ଗଜପତିରେ ସର୍ବନିମ୍ନ ପାସ୍ ହାର ରହିଛି ୩୬.୨୦ ।

{"id":119145}

ଚଳିତ ବର୍ଷ ୨୯ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । କିନ୍ତୁ ୯ଟି କଲେଜରେ ଜଣେ ହେଲି ବି ପରୀକ୍ଷାର୍ଥୀ ପାସ୍ କରିନାହାନ୍ତି । ଯେଉଁ କଲେଜରେ ରେଜଲ୍ଟ ଶୂନ ହୋଇଛି ତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ରି-ଆଡସନ୍ ବା ରି-ଚେକିଂ ପାଇଁ ଛାତ୍ରଛାତ୍ରୀମାନେ ୧୫ ଦିନ ମଧ୍ୟରେ ଆବେଦନ କରିପାରିବେ । ସେହିପରି ଜୁନ୍ ୧୭ ତାରିଖ ସୁଦ୍ଧା କଲେଜରେ ପ୍ରୋଭିଜିନାଲ୍ ସାର୍ଟିଫିକେଟ୍ ମିଳିବ ।

ଗତବର୍ଷ ତୁଳନାରେ ଚଳିତବର୍ଷ ୧୫ ଦିନ ବିଳମ୍ବରେ ରେଜଲ୍ଟ ଆସିଛି । ସାଧାରଣ ନିର୍ବାଚନ, ଫୋନି ଓ ମୂଲ୍ୟାୟନକରୀ ଅଭାବ ପାଇଁ ରେଜଲ୍ଟ ବିଳମ୍ବରେ ପ୍ରକାଶ ପାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.