ନୋଏଡାର ଏକ କମ୍ପାନୀ ଲୁଚାଇଥିଲା ସୂଚନା : ୧୩ ଜଣ କରୋନାରେ ସଂକ୍ରମିତ, କମ୍ପାନୀ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | March 29, 2020 IST

ନୋଏଡା ୨୯/୦୩ : ଦେଶରେ କରୋନା ଜୀବାଣୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଲକଡାଉନ ଥିଲେ ମଧ୍ୟ ଦେଶର ଅନେକ ରାଜ୍ୟରେ କ୍ରମାଗତ ଭାବେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି | ଏହି ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି କିନ୍ତୁ ଏହାକୁ ତୁରନ୍ତ ବନ୍ଦ କରିବା ସମ୍ଭବ ନୁହେଁ।

ସେପଟେ, ନୋଏଡାର ଏକ ଘରୋଇ କମ୍ପାନୀ ବିରୋଧରେ ବିଦେଶ ଯାତ୍ରା ବିଷୟରେ ସୂଚନା ଲୁଚାଇବା ପାଇଁ ଏକ ମାମଲା ଦାୟର କରାଯାଇଛି। ସେହି କମ୍ପାନୀ ସୂଚନା ଲୁଚାଇଥିବା ଯୋଗୁଁ ୧୩ ଜଣ ସଂକ୍ରମିତ ହୋଇଛନ୍ତି | ନୋଏଡା ସିଏମଓ ସିଜ ଫାୟାର କମ୍ପାନୀ ବିରୋଧରେ ମାମଲା ପଞ୍ଜିକରଣ କରିବାକୁ ଅଭିଯୋଗ କରିଥିଲେ | ଏହା ପରେ ଏକ ମାମଲା ରୁଜୁ ହୋଇଛି।

ଅଭିଯୋଗରେ କୁହାଯାଇଛି ଯେ, ବିଦେଶରୁ ବହୁ ଲୋକ ସିଜ୍ ଫାୟାର କମ୍ପାନୀରେ ପହଞ୍ଚିବା ହେତୁ ନୋଏଡାର ଅନେକ ସେକ୍ଟରରେ କରୋନା ଜୀବାଣୁ ସଂକ୍ରମଣ ବ୍ୟାପିଛି। ତେଣୁ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଏହା ପରେ ଜିଲ୍ଲା ପ୍ରଶାସନ କମ୍ପାନୀ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଅନୁଯାୟୀ, କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମାର୍ଚ୍ଚ ୧ ତାରିଖରେ ବ୍ରିଟେନରୁ ଫେରିଥିଲେ। ମାର୍ଚ୍ଚ ୭ ତାରିଖରେ, ସମାନ କମ୍ପାନୀର କର୍ମଚାରୀ ଫେରି ଆସିଥିଲେ | ଏଥି ସହିତ ମାର୍ଚ୍ଚ ୧୪, ୧୫ ଓ ୧୬ ତାରିଖରେ ଜଣେ ବିଦେଶୀ ଅଡିଟର ସେହି କମ୍ପାନୀକୁ ଅଡିଟ୍ ପାଇଁ ଆସିଥିଲେ | କିନ୍ତୁ କମ୍ପାନୀ ଏହି ସମସ୍ତ ତଥ୍ୟ ଲୁଚାଇ ରଖିଥିଲା ଓ  ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇ ନଥିଲା। ପରେ ଜଣାପଡିଲା ଯେ ଏହି କମ୍ପାନୀ ଓ ତାଙ୍କ ପରିବାରର ମୋଟ ୧୩ ଜଣଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିଛି। ସ୍ୱାସ୍ଥ୍ୟ ବିଭାଗରୁ ଏହି ସୂଚନା ଲୁଚାଇ ଥିବାରୁ ମୁଖ୍ୟ ଜିଲ୍ଲା ଅଧିକାରୀ କମ୍ପାନୀ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ନୋଏଡା ଗୌତମବୁଦ୍ଧ ନଗରରେ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ)ଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଜିଲ୍ଲାରେ ଏପର୍ଯ୍ୟନ୍ତ ୨୫ ରୁ ଅଧିକ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.