୭ ହାତୀ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ : ସେସୁର ୩ ବରିଷ୍ଠ ଅଧିକାରୀ ନିଲମ୍ୱିତ, ଜେଇ ବହିଷ୍କୃତ

Published By : Prameya-News7 Bureau | October 27, 2018 IST

ଭୁବନେଶ୍ୱର ୨୭/୧୦: ଢେଙ୍କାନାଳ ଜିଲ୍ଲାରେ ୧୧ କେ.ଭି ତାର ଲାଗି ୭ଟି ହାତୀର ମୃତ୍ୟୁ ଘଟଣାରେ ସରକାର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି ଘଟଣା ପାଇଁ ବିଦ୍ୟୁତ ବିଭାଗ ସମ୍ପୁର୍ଣ୍ଣ ଦାୟୀ ହୋଇଥିବାରୁ ଦାୟିତ୍ୱରେ ଥିବା ସେସୁର ମେରାମୁଣ୍ଡୁଳି କନିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ବହିଷ୍କୃତ ହୋଇଥିବା କନିଷ୍ଠ ଯନ୍ତ୍ରୀ ହେଲେ ସଞ୍ଜୟ ମହାନ୍ତି । ସେହିଭଳି ସେସୁର ୨ ଜଣ ସହକାରୀ ଯନ୍ତ୍ରୀ ଏବଂ ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିଲମ୍ୱିତ କରାଯାଇଛି । ନିଲମ୍ୱିତ ହୋଇଥିବା ସହକାରୀ ଯନ୍ତ୍ରୀ ହେଲେ ଏ.ଟି ନାୟକ ଏବଂ ଚାଇଁପାଳର ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ନାୟକ । ନିଲମ୍ୱିତ ଅଧିକ୍ଷଣ ଯନ୍ତ୍ରୀ ହେଲେ ନରେଶ ପଟ୍ଟନାୟକ । କେବଳ ବର୍ତ୍ତମାନର ଅଧିକାରୀ ନୁହଁନ୍ତି ସେସୁର ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ବିଦ୍ୟୁତ ବିଭାଗର ଅବହେଳା ଏହି ଘଟଣା ପାଇଁ ସମ୍ପୁର୍ଣ୍ଣ ଦାୟୀ ବୋଲି ଆଜି ସକାଳେ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଥିଲେ । ଏଥିସହ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ,  ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗରେ ଗତରାତିରେ ଘଟିଥିଲା ଏହି ଅଭାବନୀୟ ଘଟଣା । ଧାନ ଖାଇବାକୁ ୧୩ଟିକିଆ ହାତୀ ପଲ, ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଟି ହାତୀଙ୍କ ମୃତ୍ୟୁ ହୋଇଥିଲା । ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଗୋଟେ ଦନ୍ତା, ୫ଟି ବଡ଼ ମାଇ ହାତୀ ଏବଂ ଗୋଟେ ଛୋଟ ମାଇ ହାତୀର ମୃତ୍ୟୁ ମୃତ୍ୟୁ ହୋଇଥିଲା । ମାଟିଠାରୁ ମାତ୍ର ୫/୬ ଫୁଟ ଉପରେ ଝୁଲୁଥିବା ହାଇ ଟେନସନ୍ ବିଦ୍ୟୁତ୍ ତାର ହାତୀଙ୍କ ପାଇଁ କାଳ ହେଲା । ବ୍ରାହ୍ମଣୀ ନଦୀ ଉପରେ ରେଳୱେ ବ୍ରିଜ୍ କାମ ଚାଲିଥିବା ବେଳେ ଠିକା ନେଇଛି ରାହି କନଷ୍ଟ୍ରକସନ୍ । ୧୨ କିଲୋମିଟର ଦୂର ସେସୁର ମେରାମୁଣ୍ଡଳି ସେକସନରୁ ବିଦ୍ୟୁତ୍ ନେଇ ୩/୪ ବର୍ଷ ହେବ କାମ କରୁଛି ରାହି କନଷ୍ଟ୍ରକସନ୍ । କିନ୍ତୁ ବର୍ଷେ ହେବ ତାର ଏହି ହାଇ ଟେନସନ୍ ତାର ଝୁଲି ଝୁଲି ବିପଦ ସ୍ତରକୁ ଚାଲି ଆସିଥିଲା । ସ୍ଥାନୀୟ ଲୋକେ ବାରମ୍ବାର ସେସୁକୁ ଜଣାଇଥିଲେ । କିନ୍ତୁ କେହି ଶୁଣିନଥିଲେ। ଯେଉଁଥିପାଇଁ ଏବେ ୭ଟି ହାତୀଙ୍କୁ ଅକାଳରେ ଜୀବନ ହରାଇବାକୁ ପଡ଼ିଲା । ବନ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ୭ଟି ହାତୀ ମଧ୍ୟରୁ ୪ଟି ହାତୀର ବ୍ୟବଚ୍ଛେଦ ହୋଇଥିଲା । ସମୟ ଏବଂ ଲଜିଷ୍ଟିକ୍ ସପୋର୍ଟ ଅଭାବରୁ ଆଉ ୩ଟି ହାତୀର ବ୍ୟବଚ୍ଛେଦ ହୋଇ ପାରିନଥିଲା । ଯାହା ଆସନ୍ତାକାଲି କରାଯିବ । ଅଘଟଣ ପାଇଁ ବନ ବିଭାଗ, ବିଦ୍ୟୁତ୍ ବିଭାଗକୁ ଦାୟୀ କରିଥିଲା । ପରିସ୍ଥିତି ଦେଖିଲେ ଜଣାପଡୁଛି, ବିଦ୍ୟୁତ୍ ବିଭାଗ ନିଶ୍ଚିତ ଦାୟୀ । ତେବେ ବନ ବିଭାଗର ଫିଲ୍ଡ ଷ୍ଟାଫ୍ କ’ଣ ପୂରା ନିର୍ଦ୍ଦୋଷ ? ସଂପୃକ୍ତ ଅଞ୍ଚଳରେ ହାତୀ ଥିବା ଜାଣି କାହିଁକି ଉପରିସ୍ଥ ଅଧିକାରୀଙ୍କ ମାଧ୍ୟମରେ ସେସୁକୁ ତରତର କରାଇ ନଥିଲେ ବନବିଭାଗର ଫିଲ୍ଡ ଷ୍ଟାଫ୍ ? ଅପରପକ୍ଷରେ ଅଘଟଣର ବହୁ ସମୟ ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ବନବିଭାଗର ବରିଷ୍ଠ ଅଧିକାରୀ । ଆଉ ଅପରାହ୍ନରେ ପହଞ୍ଚିଲା ବିଦ୍ୟୁତ୍ ବିଭାଗ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.