ହାଜତ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ: ପୁରୀ ବାସେଳିସାହି ଥାନାର ୩ କର୍ମଚାରୀ ଓ ବୀରମିତ୍ରପୁର ଥାନା ଆଇଆଇସି ନିଲମ୍ବିତ

Published By : Prameya-News7 Bureau | November 20, 2020 IST

କଟକ ୨୦।୧୧: ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ମାମଲାରେ ଅଡୁଆ ବଢୁଥିବା ଦେଖି ରାଜ୍ୟ ସରକାର ତତ୍ପର  ହୋଇ ଉଠିଛନ୍ତି। ପ୍ରଥମେ ପୁରୀ ଏସପିଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରିବା ପରେ ପରେ  ବାସେଳିସାହି ଥାନାର ତିନି ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଥାନା ଏଏସଆଇ ବିପ୍ଳବ କୁମାର ପ୍ରଧାନଙ୍କ ସହିତ ୨ ଜଣ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ଦୁଇ କନଷ୍ଟେବଲ ହେଉଛନ୍ତି ଜଗନ୍ନାଥ ସ୍ଵାଇଁ ଓ ବାବୁଲି ବେହେରା। ଅନିୟମିତତା ଓ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିବା କୁହାଯାଇଛି। ଏନେଇ ଡିଜିପି  କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି  ବାସେଳିସାହି ଥାନା ଅଞ୍ଚଳରେ ହାଜତ ମୃତ୍ୟୁ ଅଭିଯୋଗ ହୋଇଥିଲା।

ଅନ୍ୟପଟେ ସେହି ହାଜତ ମୃତ୍ୟୁ ମାମଲାରେ  ବୀରମିତ୍ରପୁର ଥାନା ଆଇଆଇସି ସ୍ମୁତିପ୍ରଭା ପ୍ରଧାନ ମଧ୍ୟ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ଓ ଅନିୟମିତତା ପାଇଁ ମଧ୍ୟ ତାଙ୍କୁ ନିଲମ୍ବିତ କରାଯାଇଛି। ପୁଲିସ ଡିଜି ଅଭୟ ଏହି ସମସ୍ତ ଥାନା କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବନ ନେଇ ଟ୍ଵିଟ୍ ଯୋଗେ ଓଡିଶା ପୁଲିସ ସୂଚନା ଦେଇଛି। ଗତକାଲି ବୀରମୁତ୍ରପୁର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ, ପୁରୀ ବାସେଳିସାହି ଥାନା ଓ ବୀରମୁତ୍ରପୁର ଥାନାରେ  ହାଜତ ମୃତ୍ୟୁ ମାମଲାରେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ମାନବଧିକାର କମିସନ। ଅନ୍ୟପଟେ ପୁରୀ ହାଜତ ମୃତ୍ୟୁରେ ସୋମବାର ସୁଦ୍ଧା ସମସ୍ତ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ପୁରୀ ଏବଂ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କ ଅଡୁଆ ବଢିବାରେ ଲାଗିଛି । ମାମଲାରେ ନ୍ୟାୟ ଦାବି କରି ପୁରୀରେ ସିପିଏମ୍ ଏବଂ ଭୁବନେଶ୍ବରରେ ରାସ୍ତାକୁ ଓହ୍ଲାଇଛି ବିଜେପି ।

ଗୋଟିଏ ପଟେ ପୁରୀ ହାଜତ ମୃତ୍ୟୁ ମାମଲାରେ ବିଭାଗୀୟ ତନାଘନା, ଅନ୍ୟପଟେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ଶରତ କୁମାର ରାୟଗୁରୁ ଆବେଦନ କରିଥିବା ଜନସ୍ବାର୍ଥ ମାମଲା ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ସୋମବାର ସୁଦ୍ଧା ପୋଷ୍ଟମର୍ଟମ ରିପୋର୍ଟ ସହ ସବୁ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ । କୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ପୀଡିତ ପରିବାରକୁ ସୁରକ୍ଷା ନେଇ ମାମଲା ଦାଏର କରାଯାଇଛି ।

ସେପଟେ ଉଭୟ ପୁରୀ ଏବଂ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲା ଓଡିଶା ମାନବାଧିକାର କମିଶନରେ ପହଞ୍ଚିଛି । ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସେହିପରି ପୁରୀ ହାଜତ ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର କମିଶନ ଯାଇଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଅମାନବୀୟ ଢଙ୍ଗରେ ପୋଲିସ ମୃତକଙ୍କ ଶେଷକୃତ୍ୟ କରିଥିବା NHRCରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.