ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ, ଦୁର୍ନୀତି ପାଇଁ ଏଭଳି ଆକ୍ସନରେ ପ୍ରଥମ ଆଇଏଫଏସ୍
17/12/2020 at 1:44 PM

ଭୁବନେଶ୍ୱର ୧୭।୧୨ : ବିଦା ହେବେ ଅଭୟକାନ୍ତ ! IFS ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭୟକାନ୍ତ ଅତ୍ୟଧିକ ଦୁର୍ନୀତିରେ ଲିପ୍ତ ଥିବା ଜଣେ ଅଫିସର । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶକୁ ଭିଜିଲାନ୍ସ ଗିରଫ କରିଛି । ୨୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିସ କରିବା ରାଜ୍ୟର ପ୍ରଥମ ଘଟଣା ।

ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ IFS ଅଭୟକାନ୍ତଙ୍କ ଘରେ ରେଡ୍ କରାଯାଇଥିଲା । ସେ ଅତିରିକ୍ତ ପିସିସିଏଫ୍ ଭାବେ କାର୍ଯ୍ୟରତ ଥିଲେ । ଏହାସାଙ୍ଗେ ଭିଜିଲାନ୍ସ ପକ୍ଷରୁ ଦେଶରେ ୪ରୁ ଅଧିକ ସ୍ଥାନରେ ରେଡ୍ କରାଯାଇଥିଲା । ଏହି ଚଢାଉରେ IFS ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି ବିଷୟରେ ତଥ୍ୟା ପାଇଥିଲା ଭିଜିଲାନ୍ସ ଟିମ୍ । ଏହାପରେ ତାଙ୍କ ପୁଅ ଆକାଶ ପାଠକଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସରୁ ତଦନ୍ତ ଅନୁଯାୟୀ ଅଭୟକାନ୍ତଙ୍କ ସଂପତ୍ତି ଆୟଠୁ ୪୩୫ ପ୍ରତିଶତ ଅଧିକ ରହିଛି। ଅନ୍ୟପଟେ ଏହି ଦୁର୍ନୀତିଗ୍ରସ୍ତ କୁବେର ଅଧିକାରୀ ଅଭୟଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର ।