ପଡୋଶୀଙ୍କ ଘରକୁ ଯାଉଥିବା ବେଳେ ଯୁବତୀଙ୍କୁ ଏସିଡ୍ ମାଡକଲା ମାସ୍କ୍ ପିନ୍ଧା ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | November 15, 2020 IST

ଉତ୍ତରପ୍ରଦେଶ ୧୫/୧୧ : ଉତ୍ତରପ୍ରଦେଶର ରାମପୁରରେ ଯୁବତୀଙ୍କୁ ଏସିଡ ମାଡ। ଯୁବତୀଜଣକ ତାଙ୍କ ପଡୋଶୀଙ୍କ ଘରକୁ ଯାଉଥିବା ସମୟରେ ଜଣେ ମାସ୍କ ପିନ୍ଧା ଯୁବକ ତାଙ୍କୁ ଏସିଡ ଆକ୍ରମଣ କରିଥିବା ସୂଚନା ମିଳିଛି । ତେବେ ଯୁବତୀଜଣଙ୍କ ଚିତ୍କାର କରିବାରୁ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି । ଆଜିମ ନଗର ଥାନା ଅର୍ନ୍ତଗତ ହରିତା ଗାଁରେ ଏହି ଜଘନ୍ୟ କାଣ୍ଡ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଅବଦୁଲ ବାହିଦଙ୍କର ଝିଅ ପଡୋଶୀଙ୍କ ଘରକୁ କୌଣସି କାମରେ ଯାଉଥିଲେ। ତେବେ ରାସ୍ତାରେ ପୂର୍ବରୁ ଜଣେ ଯୁବକ ମାସ୍କ ପିନ୍ଧି ସୁଯୋଗକୁ ଅପେକ୍ଷା କରିଥିଲା । ଯୁବତୀ ଜଣଙ୍କୁ ଦେଖିବା କ୍ଷଣି ତାଙ୍କ ଉପରକୁ ଏସିଡ ମାଡ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ । ତେବେ ଯୁବତୀ ଜଣଙ୍କ ଚିତ୍କାର କରିବାରୁ ଘର ଲୋକ ଏବଂ ଗାଁର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ ।  ଖବର ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକ ଏବଂ ଘର ଲୋକଙ୍କୁ ପଚରାଉଚରା କରିବା ସହିତ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଅନୁସନ୍ଧାନ ବେଳେ ପୋଲିସ ହାତରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି ।

ତେବେ ଆକ୍ରମଣର ଶିକାର ହୋଇଥିବା ପୀଡିତାଙ୍କ ପରିବାର ପକ୍ଷରୁ ଏଯାଏଁ ମାମଲା ରୁଜୁ କରାଯାଇ ନଥିବାରୁ ପୋଲିସର ସନ୍ଦେହ ବଢିଛି। ପ୍ରେମ ବ୍ୟାପାରକୁ ନେଇ ଏଭଳି ଜଘନ୍ୟ କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ କରୁଥିବା ପୋଲିସକୁ ଯୁବତୀଙ୍କ ଘରୁ କିଛି ସୁରାକ ମଧ୍ୟ ମିଳିଛି । ତେବେ ମାମଲାର ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.