ଚିଠି ଖୋଲିବ କି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ? ବିଦ୍ୟାଭାରତୀଙ୍କ ହାତଲେଖା ଚିଠିରୁ ମିଳିବ କି ଖିଅ ?

Published By : Prameya-News7 Bureau | July 21, 2021 IST

ଗଜପତି ୨୧।୭: ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଉ ଏକ ନୂଆ ରହସ୍ୟ ସାମ୍ନାକୁ ଆସିଛି । ବିଦ୍ୟାଭାରତୀଙ୍କ ଏକ ହାତ ଲେଖା ଚିଠି ହସ୍ତଗତ ହୋଇଛି । ଯାହା ବୟାନ କରୁଛି ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ । ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ବୈବାହିକ ଜୀବନ କିଛି ଠିକ୍ ନଥିଲା । ଉଭୟଙ୍କ ସମ୍ପର୍କ ବି ଭଲ ନଥିଲା ଏବଂ ଏହି ଚିଠିରେ ସେ ସୌମ୍ୟଙ୍କ ସହ ଜୀବନ ବିତାଇବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।

ଗଜପତି ପୋଲିସ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ପାଖରେ ପହଞ୍ଚିଛି । ତାଙ୍କୁ ଘନ ଘନ ଜେରା କରିଛି। ବିଦ୍ୟାଭାରତୀଙ୍କ ମୋବାଇଲ ଜବତ କରିଛି। ମୋବାଇଲ ଭେରିଫିକେସନ ପାଇଁ ପଠାଇଛି। ସୋମବାର ଗଜପତିରୁ ୬ ଜଣିଆ ପୋଲିସ ଟିମ୍  ଖଇରା ଏବଂ କପ୍ତିପଦା ଗୌଡ଼ଗାଁରେ ପହଞ୍ଚିଥିବା ବେଳେ ତଦନ୍ତ କରିଥିଲା। ମଙ୍ଗଳବାର ମଧ୍ୟ ତଦନ୍ତ ଜାରି ରଖିଥିଲା।

ସେପଟେ ସୌମ୍ୟଙ୍କ ପରିବାର ବୋହୂ ଉପରେ ହତ୍ୟା ଅଭିଯୋଗ ଆଣୁଥିବା ବେଳେ ମଙ୍ଗଳବାର କିନ୍ତୁ ବୋହୂ ବିଦ୍ୟାଭାରତୀ ଏହାକୁ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ ଆଣିଥିଲେ। ସ୍ବାମୀଙ୍କ ସହିତ ତାଙ୍କର ସଂପର୍କ ଭଲ ଥିଲେ ବି ସୌମ୍ୟଙ୍କର ଅନ୍ୟତ୍ର ସଂପର୍କ ଥିବାର ତାଙ୍କର ସନ୍ଦେହ ଥିବାର ସେ ଏକ ଅଡିଓ ଦେଇଥିଲେ । ଯେଉଁଥିରେ ବିଦ୍ୟାଭାରତୀ ଓ ସୌମ୍ୟଙ୍କର କଥାବାର୍ତ୍ତା ଥିବାର ଦାବି କରାଯାଇଛି ।

ବୈବାହିକ ଜୀବନଠାରୁ ଆରମ୍ଭ କରି ବ୍ୟାଚଲର ପାର୍ଟି ପର୍ଯ୍ୟନ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ବିଦ୍ୟାଭାରତୀ । ସେପଟେ ଆଇଆଇସି ମମତା ପଣ୍ଡାଙ୍କ ସହିତ ସଂପର୍କକୁ ବିଦ୍ୟାଭାରତୀଙ୍କ ବାପା ସ୍ବୀକାର କରିଥିଲେ । ସୌମ୍ୟଙ୍କର ଅନ୍ୟ ଯୁବତୀଙ୍କ ସହ ସଂପର୍କ ଥିବା କଥା ବିଦ୍ୟାଭାରତୀ କହୁଥିବା ବେଳେ ଏହାକୁ କିନ୍ତୁ ସୌମ୍ୟଙ୍କ ମା’ ଖଣ୍ଡନ କରିଥିଲେ । ହତ୍ୟା ଅଭିଯୋଗକୁ ଏଡ଼େଇବା ପାଇଁ ବିଦ୍ୟାଭାରତୀ ଏମିତି କହୁଛନ୍ତି ବୋଲି ସେ କହିଛନ୍ତି। ମାମଲା ଧିରେ ଧିରେ ଜଟିଳ ହେବାରେ ଲାଗିଛି । ତେବେ କ୍ରାଇମବ୍ରାଞ୍ଚ ତଦନ୍ତରେ ପ୍ରବେଶ କରିବା ପରେ ଖୁବ ଶୀଘ୍ର ସତ ବାହାରିବା ଆଶା କରାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.