ରାସ୍ତାରେ କାହିଁକି ଅଟକିଥିଲା ଆମ୍ବୁଲାନ୍ସ ? ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟରୁ ଉଠୁନି ପରଦା, ପତ୍ନୀ କହୁଛନ୍ତି ଦୁର୍ଘଟଣା

Published By : Prameya-News7 Bureau | July 17, 2021 IST

ଗଜପତି, ୧୭|୦୭ :   ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ଗ୍ରାଉଣ୍ଡ ଜିରୋରେ ପୋଲିସ ଓ ସାଇଣ୍ଟିଫିକ୍ ଟିମର ତନାଘନା । ଏହି ସମୟରେ ସୌମ୍ୟଙ୍କ ପରିବାର ଲୋକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସରକାରୀ କ୍ବାର୍ଟର ଭିତରେ କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ? ସେତେବେଳେ ଘରେ କିଏ କିଏ ଉପସ୍ଥିତ ଥିଲେ ? ବାଟରେ ଆମ୍ବୁଲାନ୍ସ ଅଟକିଥିଲା କାହିଁକି ? ଏହା ଏକ ଦୁର୍ଘଟଣା ନା ସୁଚିନ୍ତିତ ହତ୍ୟା ଷଡ଼ଯନ୍ତ୍ର ? ସେସବୁ ପ୍ରଶ୍ନର ଉତ୍ତର ଖୋଜିବ ତଦନ୍ତକାରୀ ଟିମ୍ ।

ତାଲା ଖୋଲିଲା । ସଂଦେହ ବଢ଼ିଲା । ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ । ସୌମ୍ୟଙ୍କ ସରକାର କ୍ବାର୍ଟର ଯେଉଁଠି ତାଙ୍କ ଦେହରେ ନିଆଁ ଲାଗିଥିବା କୁହାଯାଉଛି ସେହି ଘରର ତାଲା ଖୋଲିଲା ପୋଲିସ । ଆଉ ଘର ଭିତରେ ତନ୍ନ ତନ୍ନ କରି ଯାଂଚ କରୁଥିଲେ ସାଇଣ୍ଟିଫିକ୍ ଟିମ୍ । ପୂର୍ବରୁ ସୌମ୍ୟଙ୍କ ପତ୍ନୀ ଦେଇଥିବା ବୟାନ୍ ଆଧାରରେ ଏହି ଘରେ ହିଁ ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା । ହେଲେ ଆଶ୍ଚର୍ଯ୍ୟର କଥା ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା କୋଠରୀର କାନ୍ଥ, ଚଟାଣରେ ନଥିଲା ନିଆଁ ଲାଗିବାର କୌଣସି ଚିହ୍ନ । ଏମିତିକି ପାଖରେ ଥିବା ଆସବାବପତ୍ର, ପଲିଷ୍ଟର ଡୋର୍ ସ୍କ୍ରିନ୍ କେଉଁଥିରେ ବି ନଥିଲା ପୋଡ଼ା ଚିହ୍ନ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପରିବାର ଓ ତାଙ୍କ ଓକିଲ । ସେମାନଙ୍କ ଅଭିଯୋଗ ସରକାରୀ କ୍ବାର୍ଟରରେ ନୁହେଁ ଅନ୍ୟ କୌଣସି ସ୍ଥାନରେ ଘଟଣା ଘଟିଛି ।

ଘଟଣାର ୮୦ଘଣ୍ଟା ପରେ ସାଇଣ୍ଟିଫିକ୍ ଟିମ୍ ସରକାରୀ କ୍ବାର୍ଟରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମାମଲାର ସବୁ ଦିଗକୁ ଯାଂଚ କରିବା ସହ ଅଭିଯୋଗ ଆସିଥିବା ଡିଏଫଓଙ୍କୁ ଖୁବଶୀଘ୍ର ଜେରା କରାଯିବ, ଏବଂ ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତା’ର ତଦନ୍ତ ହେବ ବୋଲି କହିଛନ୍ତି ଅତିରିକ୍ତ ଏସପି ।

ପରିବାର ଲୋକଙ୍କ ଅଭିଯୋଗ ସୌମ୍ୟଙ୍କୁ ସୁଚିନ୍ତିତ ଷଡ଼ଯନ୍ତ୍ର କରି ପୋଡ଼ି ମାରିଦିଆଯାଇଛି । ହେଲେ ସୌମ୍ୟଙ୍କ ପତ୍ନୀ କହୁଛନ୍ତି ଏହା ଏକ ଦୁର୍ଘଟଣା । ଏହାରି ଭିତରେ ଡିଏଫଓଙ୍କ ନାଁ ଉଠିବା ମଧ୍ୟ ଘଟଣାକୁ ନେଇ ନାନା ସଂଦେହ ସୃଷ୍ଟି କରିଛି । ପାରିପାର୍ଶ୍ବିକ ଅବସ୍ଥାକୁ ଦେଖିଲେ ଘଟଣାକୁ ନେଇ ନାନା ପଶ୍ନବାଚୀ ସୃଷ୍ଟି ହୋଇଛି । ଏମିତିରେ ସାରା ରାଜ୍ୟରେ ଚହଳ ପକାଇଥିବା ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ସସ୍ପେନ୍ସ ଉପରୁ ପୋଲିସ କିଭଳି ପରଦା ହଟାଇପାରୁଛି ତା’ ଉପରେ ରହିବ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.