ଫାଶୀରେ ଝୁଲିବାର୨ ଘଣ୍ଟା ପରେ ବି ଜୀବିତ ଥିଲା ଏହି ଅପରାଧୀ, ଆଶ୍ଚର୍ଯ୍ୟ କରିଥିଲା ତିହାର ଜେଲ ଡାକ୍ତରଙ୍କୁ
14/12/2019 at 6:22 PM

ନୂଆଦିଲ୍ଲୀ ୧୪।୧୨: ନିର୍ଭୟା ଅପରାଧୀଙ୍କ ଦଣ୍ଡ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ। ତିହାର ଜେଲରେ ମୃତ୍ୟୁଦଣ୍ଡବିଧାନ କିଛି ନୂଆ କଥା ନୁହେଁ। ତେବେ ୧୯୮୨ ମସିହାରେ ନିର୍ଭୟାଭଳି ଏକ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦଣ୍ଡିତ ୨ ଅପରାଧୀଙ୍କ ମଧ୍ୟରୁ ଜଣେ ଫାଶୀରେ ଟଙ୍ଗା ହେବାର ୨ ଘଣ୍ଟା ପରେବି ଜୀବିତ ଥିବା ଜେଲ ଡାକ୍ତର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଫାଶୀରୁ ତାକୁ ଓହ୍ଲାଇଦେବା ପରେ ତାର ମୃତ୍ୟୁ ହୋଇଥିଲା। ଏହି ଅପରାଧୀର ନାମ ଜାଣିଲେ ଆପଣ ବି ଶିହରି ଉଠିବେ।

୩୧ ଜାନୁୟାରୀ ୧୯୮୨ରେ ଦୁର୍ଦ୍ଦାନ୍ତ ଅପରାଧୀ ରଙ୍ଗା ଓ ବିଲ୍ଲାଙ୍କ ମୃତ୍ୟୁଦଣ୍ଡବିଧାନ ତିହାର ଜେଲରେ ହୋଇଥିଲା। ୨୬ ଅଗଷ୍ଟ ୧୯୭୮ରେ ରଙ୍ଗା ଓ ବିଲ୍ଲା ଦିଲ୍ଲୀର ଗୋଲ ଡାକଘର ନିକଟରେ ଗାଡିକୁ ଅପେକ୍ଷା କରିଥିବା ୨ଟି ପିଲାଙ୍କୁ ତାଙ୍କ କାରରେ ଲିଫ୍ଟ ଦେଇଥିଲେ। ତେବେ ପରେ ସେମାନଙ୍କ ପତା ମିଳିନଥିଲା। ଅଗଷ୍ଟ ୨୯ ତାରିଖରେ ପିଲା ଦୁହିଁକର ମୃତ ଦେହ ମିଳିଥିଲା। ପୋଲିସ ଯାଞ୍ଚ ବେଳେ ଝିଅଟିକୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା। ଦୀର୍ଘ ଦିନ ଧରି ତଦନ୍ତ ପରେ ଏକ ଟ୍ରେନରୁ ପୋଲିସ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ରଙ୍ଗା ଓ ବିଲ୍ଲାଙ୍କୁ ଗିରଫ କରିଥିଲା।

ସେତେବେଳେ ବି ହୋଇଥିଲା ମୃତ୍ୟୁଦଣ୍ଡ ଦାବି
ଦୁଇ ନାବାଳକଙ୍କ ଲୋମହର୍ଷକ ହତ୍ୟାକାଣ୍ଡ ସେତେବେଳେ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଲୋକେ ଅପରାଧୀଙ୍କ ଗିରଫ ଦାବିରେ ଦିନଦିନ ଧରି ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଆଜିକା ଦିନ ଭଳି ସେତେବେଳେ ସୋସିଆଲ ମିଡିଆ ନଥିଲା। ଲୋକେ ନିଜେ ଡକାହକା ହୋଇ ଶୋଭାଯାତ୍ରା ଓ ଆନ୍ଦୋଳନ କରୁଥିଲେ। ୮ ସେପ୍ଟେମ୍ବର ୧୯୭୮ରେ ରଙ୍ଗା ବିଲ୍ଲା ଗିରଫ ହେବା ପରେ ଲୋକେ ସେମାନଙ୍କ ଲାଗି ମୃତ୍ୟୁଦଣ୍ଡ ଦାବି କରିଥିଲେ। କୋର୍ଟରେ ସେମାନଙ୍କ ମୋକଦ୍ଦମାର ଶୁଣାଣି ଯେତିକି ବିଲମ୍ବ ହେଉଥାଏ ଲୋକଙ୍କ ଆନ୍ଦୋଳନ ସେତିକି ତୀବ୍ର ହେଉଥିଲା।

ବିରଳତମ ଅପରାଧ ଲାଗି କୋର୍ଟ ମୃତ୍ୟୁଦଣ୍ଡାଦେଶ କରିଥିଲେ
କୋର୍ଟ ୨ ଅପରାଧୀଙ୍କ ବିଚାର କରିବା ବେଳେ ସେମାନେ ଅନେକ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡିଥିଲା। ତେବେ ୨ ପିଲାଙ୍କ ହତ୍ୟା ବର୍ବରତାର ସମସ୍ତ ସୀମା ପାର କରିଥିଲା। ଏଣୁ ବିରଳରୁ ବିରଳତମ ଅପରାଧ ଲାଗି କୋର୍ଟ ୨ ଅପରାଧୀଙ୍କୁ ମୃତ୍ୟୁଦଣ୍ଡାଦେଶ କରିଥିବା ବେଳେ ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଓ ସୁପ୍ରିମକୋର୍ଟ ମଧ୍ୟ ନିମ୍ନ ଅଦାଲତଙ୍କ ରାୟକୁ କାୟମ ରଖିଥିଲେ। ରାଷ୍ଟ୍ରପତି ସେମାନଙ୍କ କ୍ଷମାନିବେଦନ ନାକଚ୍ କରିବା ପରେ ଦଣ୍ଡବିଧାନ କରାଯାଇଥିଲା।

ଫାଶୀରେ ଝୁଲିବାର୨ ଘଣ୍ଟା ପରେ ବି ଜୀବିତ ଥିଲା ରଙ୍ଗା
୩୧ ଜାନୁୟାରୀ ୧୯୮୨ରେ ରଙ୍ଗା ଓ ବିଲ୍ଲାଙ୍କ ଲାଗି ତିହାର ଜେଲରେ ମୃତ୍ୟୁଦଣ୍ଡ ବିଧାନ ହୋଇଥିଲା। ସେମାନଙ୍କୁ ଫଶୀ କାଠରେ ଟଙ୍ଗାଇ ଦେବାର ୨ ଘଣ୍ଟା ପରେ ସେମାନଙ୍କ ଯାଞ୍ଚ ଲାଗି ଡାକ୍ତର ଫାଶୀଘରକୁ ଯାଇଥିଲେ। ତେବେ ବିଲ୍ଲାର ମୃତ୍ୟୁ ହୋଇସାରିଥିବା ବେଳେ ରଙ୍ଗା କିନ୍ତୁ ଜୀବିତ ଥିଲା। ଏହା ଦେଖି ଡାକ୍ତର ଅଶ୍ଚର୍ଯ୍ୟ ହୋଇଯାଇଥିଲେ। ତାକୁ ତୁରନ୍ତ ଫାଶୀରୁତଳକୁ ଓହ୍ଲାଯାଇଥିଲା। ତେବେ ଫାଶୀରୁ ଓହ୍ଲାଯିବା ପରେ ତାର ମୃତ୍ୟୁହୋଇଥିଲା।

ଏଥିଲାଗି ଫାଶୀ କାଠରେ ମରି ନଥିଲା ରଙ୍ଗା
ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲର ଫରେନସିକ୍ ବିଭାଗ ଅଧ୍ୟକ୍ଷଙ୍କ ଅନୁସାରେ ଫାଶୀ ବେଳେ ଗର୍ଦ୍ଦନ ହାଡରେ ଅଚାନକ ଝଟକା ଲାଗିଥାଏ। ଏହି ଝଟକା ଯୋଗୁ ଗର୍ଦ୍ଦନର ୭ ହାଡ ମଧ୍ୟରୁ ଗୋଟିଏ ଯାହାକୁ ବର୍ଟିବ୍ରା କୁହାଯାଏ ସେଥିରୁ ଅଡଣ୍ଟୱାଇଡ ପ୍ରୋସସେ ହାଡ ଭାଙ୍ଗି ସ୍ପାଇନାଲ କର୍ଡରେ ପଶି ଯାଇଥାଏ। ଫଳରେ ଶରୀରର ନିୟନ୍ତ୍ରଣ କ୍ଷମତା ସମାପ୍ତ ହୋଇଯାଇଥାଏ। ତେବେ ରଙ୍ଗା କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ହୋଇଥିଲା। ଏଣୁ ତାକୁ ଫାଶୀରୁ ଓହ୍ଲାଇବା ମାତ୍ରେ ହିଁ ତାର ମୃତ୍ୟୁ ହୋଇଥିଲା।