ବହୁ ଚର୍ଚ୍ଚିତ ମାଉସୀ-ପୁତୁରା ହତ୍ୟା ମାମଲା : ୪ବର୍ଷ ପରେ ଆସିଲା ରାୟ, ଅଭିଯୁକ୍ତ ଝସକେତନକୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | September 21, 2020 IST

ଅନୁଗୋଳ ୨୧।୯: ବହୁ ଚର୍ଚ୍ଚିତ ମାଉସୀ ପୁତୁରା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଝସକେତନ ରାଉତ । ହତ୍ୟାକାଣ୍ଡର ୪ ବର୍ଷ ପରେ ଆଜୀବନ କାରାଦଣ୍ଡ ସହ ୩ ଲକ୍ଷ ଟଙ୍କାର ଜରିମନା କରିଛନ୍ତି ଜିଲ୍ଲା ଦୌରାଜଜ୍ । ଅନାଦେୟ ଆଉ ୩ ବର୍ଷ ସଶ୍ରମ କାରାଦଣ୍ଡ ହେବ ବୋଲି ମଧ୍ୟ ରାୟ ଶୁଣାଇଛନ୍ତି । ୨୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଦୌରାଜଜ୍ ।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ଫେବୃଆରୀ ମାସରେ ମାଉସୀ-ପୁତୁରାଙ୍କୁ ଟଙ୍କା ନେବାଦେବାକୁ ନେଇ ରାସ୍ତାରୁ ହଟାଇବା ପାଇଁ ପ୍ଳାନିଂ କରି ହତ୍ୟା କରିଥିଲା ଝସକେତନ । ୨୦ ଫୁଟ ଗାତ ଖୋଳି ମାଟିତଳେ ପୋତି ଦେଇଥିଲା । ମୃତ ମାଉସୀ ଅବଳା ଗଡ଼ନାୟକ ଏବଂ ପୁତୁରା କୁମୁଦଚନ୍ଦ୍ର ସାହୁ । ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା ।

ଝସକେତନ କେବଳ ସେହି ମାଉସୀ-ପୁତୁରାଙ୍କୁ ହତ୍ୟା କରିନଥିଲା ସମାନ ଢଙ୍ଗରେ କୁଶକିଳା ଗାଁର ଦୁଇ ଭାଇ ଯୋଗେଶ୍ଵର ସାହୁ ଏବଂ ହୀରଣାକ୍ଷ ସାହୁଙ୍କୁ ମଧ୍ୟ ହତ୍ୟା କରି ୨୦ ଫୁଟ ଗାତରେ ପୋତି ଦେଇଥିଲା । ଯାହା ପାଇଁ ସେ ଏବେ ଅନୁଗୋଳ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛି ।

ପୁଣି ତାକୁ ଜିଲ୍ଲା ଦୌରାଜଜ ମାଉସୀ-ପୁତୁରା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅନୁଗୋଳ ଜେଲରୁ ଭିଡି଼ଓ କନଫରେନ୍ସିଂ ମାଧ୍ୟମରେ ରାୟ ଶୁଣାଇଛନ୍ତି । ଚାରି ଚାରି ଜଣଙ୍କୁ ଏକା ଢଙ୍ଗରେ ମାରି ଏବେ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଛି ଝସକେତନ । ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ମିଳିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଝସକେତନକୁ ଫାଶୀ ହେବା ଦରକାର ଥିଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.