ନଇକୁ ଡେଇଁଥିଲା ୬ଶହ କୋଟିର ଠକ: ବର୍ଷେ ପରେ ଓକିଲ ବେଶରେ ଦେଲା ଧରା, ଓଡିଶା ଲିଙ୍କର ଖୋଳତାଡ଼

Published By : Prameya-News7 Bureau | June 25, 2020 IST

ବୁର୍ଲା ୨୫।୦୬: ଛତିଶଗଡ଼ର ଚାଲ୍‌ ସୋବରାଜ୍‌ ଶେଷରେ ଜୀବିତ ବୋଲି ପ୍ରମାଣିତ ହୋଇଛି । ୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ୬ ଶହ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଠକେଇ କରିଥିବା ବିଶ୍ୱଜିତ୍‌ ଭୌମିକ ଠିକ୍‌ ବର୍ଷକ ତଳେ ବୁର୍ଲା ପିସି ବ୍ରିଜ୍‌ରୁ ଡେଇଁଥିବାର ନାଟକ କରି ନିଖୋଜ ହୋଇଯାଇଥିଲା । ୩ଟି ରାଜ୍ୟର ପୁଲିସ ତାକୁ ବର୍ଷେ ହେଲା ଖୋଜୁଥିବା ବେଳେ ଓକିଲ ବେଶରେ ବିଳାସପୁର କୋର୍ଟ ଭିତରକୁ ପଶି ଆତ୍ମ ସମର୍ପଣ କରିଛି । ଫଳରେ ବାହାରେ ତାକୁ ଗିରଫ ପାଇଁ ଅପେକ୍ଷା କରିଥିବା ପୁଲିସକୁ ଭକୁଆ ହେବାକୁ ପଡିଛି । ସେପଟେ ତାକୁ ୨ଦିନିଆ ରିମାଣ୍ଡରେ ପୁଲିସ ନେଇଥିବା ସୂଚନା ମିଳିଛି ।

ଛତିଶଗଡ଼ର ବିଳାସପୁରର ଚର୍ଚ୍ଚିତ ଠକ ବ୍ୟବସାୟୀ ବିଶ୍ୱଜିତ୍‌ ଭୌମିକ ଏକ ଜାଲ୍‌ ମାଇକ୍ରୋ ଫାଇନାନ୍ସ କଂପାନି ନାଁରେ ୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ପ୍ରାୟ ୬ ଶହ କୋଟି ଟଙ୍କାର ଋଣ ନେଇ ଚମ୍ପଟ ମାରିଥିଲା । ପୁଣି ଛତିଶଗଡର ୪୦ରୁ ଉଦ୍ଧ୍ୱର୍ ବ୍ୟବସାୟୀଙ୍କୁ ମଧ୍ୟ କୋଟି କୋଟି ଟଙ୍କାର ଚୂନ ଲଗାଇ ଦେଇ ସେ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ପାଲଟିଥିଲା । ତାର ଅସଲ କାରନାମା ପଦାକୁ ଆସିବା ପରେ ଆତ୍ମହତ୍ୟାର ଅଭିନବ ନାଟକ ରଚିଥିଲା । ଗତବର୍ଷ ଠିକ୍‌ ଏହି ଜୁନ୍‌ ପହିଲାରେ ବିଶ୍ୱଜିତ୍‌ ପତ୍ନୀ ରୋମା ସହ ଆସି ବୁର୍ଲାର ସିଲଭର୍‌ ମୁନ୍‌ ହୋଟେଲ୍‌ରେ ରହିଥିଲେ । ଆଉ ୩ ତାରିଖ ଦିନ ବୁର୍ଲା ପିସିବ୍ରିଜ୍‌ ନିକଟରେ ବିଶ୍ୱଜିତ୍‌ ନିଜ କାର୍‌ ରଖି କାର୍‌ ଭିତରେ ଏକ ସୁଇସାଇଡ ନୋଟ୍‌ ଛାଡି ଫେରାର ହୋଇଯାଇଥିଲା । କାର୍‌ ତଳେ ନିଜ ଚପଲକୁ ବି ଛାଡ଼ି ଦେଇଥିଲା । ଫଳରେ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ପୁଲିସ ଅନୁମାନ କରିଥିଲା। ହୋଟେଲରେ ଥିବା ସ୍ତ୍ରୀ ରୋମା ସ୍ୱାମୀଙ୍କ ନିଖୋଜ ନେଇ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଦୀର୍ଘ ଦିନ ଧରି ଖୋଜାଖୋଜି କରିଥିଲେ ହେଁ କୌଣସି ସୁରାକ୍‌ ପାଇନଥିଲା । ସେପଟେ, ରାୟପୁର ପୁଲିସ ବି ଆସି ଏଠାରେ ଖୋଳତାଡ କରି ଫେରିଯାଇଥିଲା । ପରେ ପରେ ବିଶ୍ୱଜିତଙ୍କ ଠକାମୀର ଅସଲ ଗୁମର ପ୍ରମେରେ ପ୍ରକାଶିତ ହୋଇଥିଲା।

ବୁର୍ଲାରେ କିଛି ସୁରାକ୍‌ ନମିଳିବାରୁ ପରିବାରବର୍ଗ ହୋଟେଲ୍‌ ଛାଡ଼ି ନିଜ ଘରକୁ ଚାଲିଯାଇଥିଲେ । ବିଳାସପୁର ପୁଲିସର ଏକ ଟିମ୍‌ ବୁର୍ଲା ଆସିି ଘଟଣାର ଖୋଳତାଡ଼ କରିଥିଲା । ଏହି ଦଳ ବୁର୍ଲା ଥାନା ସମେତ ସେମାନେ ରହୁଥିବା ସିଲ୍‌ଭର ମୁନ୍‌ ହୋଟେଲକୁ ଯାଇ କର୍ମଚାରୀ ତଥା ହୋଟେଲ ମାଲିକଙ୍କୁ ଜେରା କରିଥିଲେ । ଏହାସହ ବିଶ୍ୱଜିତ ରହୁଥିବା ରୁମ୍‌ ନଂ ୨୧୦ କୁ ବୁଲି ଦେଖିଥିଲେ । ପରେ ଉକ୍ତ ଟିମ୍‌ ସେ କାର୍‌ ରଖିଥିବା ସ୍ଥାନକୁ ଯାଇ ବୁଲାବୁଲି କରିବା ସହିତ ସମସ୍ତ ତଥ୍ୟ ନେଇ ବିଲାସପୁର ଚାଲିଯାଇଥିଲେ । ବିଶ୍ୱଜିତ ଆତ୍ମହତ୍ୟା କରିନଥିଲା । ସେ ଜୀବିତ ଅଛି ଆଜି ପ୍ରମାଣିତ ହୋଇଛି । ଆଜି ସେ ବିଲାସପୁର ସିଭିଲ୍‌ କୋର୍ଟରେ ଆତ୍ମ ସମର୍ପଣ କରିଛି । ସେପଟେ, ତାର ଆତ୍ମ ସମର୍ପଣର ସୂଚନା ପାଇ ପୁଲିସ ଛକି ରହିଥିବା ବେଳେ ସେ ମୁଣ୍ଡ ଲଣ୍ଡା ହୋଇ ଓକିଲ ବେଶରେ କୋର୍ଟ ଭିତରକୁ ପ୍ରବେଶ କରିବାରୁ ପୁଲିସ ବି ଭକୁଆ ହୋଇଯାଇଛି ।

ଅପରପକ୍ଷେ, ଆତ୍ମହତ୍ୟା ନାଟକ କରି ସେ ବର୍ଷେ ହେଲା ଓଡ଼ିଶାରେ ଆତ୍ମଗୋପନ କରିଥିବା ନେଇ ପୁଲିସ ଜାଣିବାକୁ ପାଇଥିବା ବେଳେ କିଏ ସେହି ସୁରକ୍ଷାଦାତା ତାହା ଜାଣିବାକୁ ବିଲାସପୁର ପୁଲିସ ଖୋଳତାଡ ଆରମ୍ଭ କରିଛି । ସେହିପରି ସ୍ତ୍ରୀ ରୋମାର ଭୂମିକା ବି ସନ୍ଦେହଘେରରେ ଥିବାରୁ ତାକୁ ମଧ୍ୟ ପୁଲିସ ଜେରା କରିବ ବୋଲି ସୂଚନା ଦେଇଛି । ଏପଟେ, ବିଶ୍ୱଜିତର ଆତ୍ମ ସମର୍ପଣ ପରେ କ୍ଷତିଗ୍ରସ୍ତ ଲୋକେ ଟଙ୍କା ଫେରି ପାଇବା ନେଇ ଆଶାବାଦୀ ହୋଇଉଠିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.