ଭୁବନେଶ୍ୱର ୧୨।୮: କୋଭିଡ-୧୯ ଭାଇରାଲ ଅଡିଓ ମାମଲାର ଅନ୍ୟତମ ଅଭିଯୁକ୍ତ ବିଶ୍ୱଜିତ ମହାନ୍ତି ବୁଧବାର ଓଡିଆ ଟେଲିଭିଜନ ଚାନେଲ ଓଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି। ଟେଲିଭିଜନ ଚାନେଲର କାର୍ଯ୍ୟ ତାଙ୍କ ସମ୍ମାନରେ ଆଞ୍ଚ ଆଣିଥିବାର ସେ ଅଭିଯୋଗ କରିଛନ୍ତି।
ମାମଲାରେ ବିଶ୍ୱଜିତଙ୍କୁ ଭୁବନେଶ୍ୱର କୋର୍ଟ ବୁଧବାର ଜାମିନ ମଞ୍ଜୁର କରିଛନ୍ତି। ତେବେ ଏହି ଘଟଣା ପଛରେ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିବା ସେ କହିଥିବା ବେଳେ ଦୁଇ ବନ୍ଧୁଙ୍କ ମଧ୍ୟରେ ଏହା ଏକ ସ୍ପଷ୍ଟ ବାର୍ତ୍ତାଳାପ ଥିଲା ବୋଲି କହିଛନ୍ତି। ଯେଉଁଥିରେ କୋଭିଡ-୧୯କୁ ନେଇ ଆତଙ୍କିତ ନ ହେବା ଲାଗି ସେ ବନ୍ଧୁଙ୍କୁ କହୁଥିବା ବେଳେ ଅଡିଓ କ୍ଲିପ୍କୁ ୨୦-୨୫ ଜଣ ସାଙ୍ଗଙ୍କ ମଧ୍ୟରେ ସେୟାର କରିଥିଲେ ବୋଲି କହିଛନ୍ତି।
ଯଦି ମାମଲାରେ ମୋତେ ଗିରଫ କରାଯାଇଛି ତେବେ ଅଡିଓ କ୍ଲିପ୍କୁ ନେଇ ଏତେବଡ କାଣ୍ଡ କରିଥିବା ଟେଲିଭିଜନ ଚାନେଲ ବିରୋଧରେ କର୍ତ୍ତୃପକ୍ଷ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ କରୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଘଟଣା ତାଙ୍କର ଓ ତାଙ୍କ ପରିବାରର ପ୍ରତିଷ୍ଠା ଉପରେ ଆଞ୍ଚ ଆସିଥିବାର ବିଶ୍ୱଜିତ କହିଛନ୍ତି।
ସେପଟେ ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ ସମ୍ପୃକ୍ତ ଟେଲିଭିଜନ ଚାନେଲ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିବା ଜଣାପଡିଛି। ଟେଲିଭିଜନ ଚାନେଲ ହସ୍ପିଟାଲ ବିରୋଧରେ ମିଥ୍ୟା ଓ ତ୍ରୁଟିପୂର୍ଣ୍ଣ ଖବର ପ୍ରସାରଣ କରିଥିବାର ଅଭିଯୋଗ କରି ଏହି ମୋକଦ୍ଦମା ରୁଜୁ ଥିବା ଜଣାପଡିଛି।