ସାଥୀ ଯବାନଙ୍କ ଗୁଳିମାଡରେ ୪ ଯବାନଙ୍କ ମୃତ୍ୟୁ ଘଟଣା, ଅଭିଯୁକ୍ତକୁ ଗିରଫ କଲା ପୋଲିସ : ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 08, 2021 IST

ସୁକମା ୦୮/୧୧ : ଓଡିଶା ସୀମାନ୍ତ ଛତିଶଗଡର ସୁକମାରେ ଘଟିଥିବା ଅଭାବନୀୟ ଘଟଣାରେ ଅଭିଯୁକ୍ତ ସିଆର୍‌ପିଏଫ୍‌ ଯବାନଙ୍କୁ ଗିରଫ କରାଯାଇଛି । ପ୍ରଥମେ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ପଚରାଉଚରା ବେଳେ ଯବାନ ଜଣକ ହତ୍ୟା କରିଥିବା ନେଇ ସ୍ବୀକାର କରିଛି । ତେବେ କେଉଁ କାରଣ ପାଇଁ ସେ ତାର ୪ ଜଣ ସାଥୀ ଯବାନଙ୍କୁ ଗୁଳିକରି ହତ୍ୟା କରିଛି ସେ ନେଇ ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଗିରଫ ଯବାନକୁ ଅଧିକ ପଚରାଉଚରା କରାଯାଉଛି ।

ସୂଚନା ଅନୁସାରେ, ସୋମବାର ଭୋର ୩.୧୫ ସମୟରେ ରିତେଶ ନାମକ ଜଣେ ସିଆର୍‌ପିଏଫ୍‌ ଯବାନ ସାଥୀ ଯବାନଙ୍କୁ ଆଖିବୁଜା ଗୁଳିମାଡ କରିଥିଲା । କୌଣସି କାରଣକୁ ନେଇ ଅନ୍ୟ ଯବାନମାନଙ୍କ ସହିତ ପାଟିତୁଣ୍ଡ ପରେ ନିଜ Ak-47 ବନ୍ଧୁକରୁ ଗୁଳିମାଡ କରିଥିଲା ରିତେଶ । ଏହି ଘଟଣାରେ ଆଉ ୩ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ତେଲେଙ୍ଗାନା ଏବଂ ଭଦ୍ରାଚଲମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ମୋଟ ୭ ଜଣ ଯବାନଙ୍କ ଦେହ​‌ରେ ଗୁଳି ବାଜିଥିଲା । ଆଖିବୁଜା ଗୁଳି ଚାଳନାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ଏବଂ ଅନ୍ୟ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣାକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦୁଃଖ ପ୍ରକାଶ କରିବା ସହିତ ତଦନ୍ତ ନିର୍ଦେଶ ଦେଇଛନ୍ତି । ଆହତ ଯବାନଙ୍କର ଉନ୍ନତମାନର ଚିକିତ୍ସା ପାଇଁ ଅଧିକାରୀମାନଙ୍କୁ ଫୋନ ଯାଗେ ନିର୍ଦେଶ ଦେଇଛନ୍ତି ବଘେଲ । ପୋଲସି ଅଭିଯୁକ୍ତ ଯବାନ ରିତେଶକୁ  ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.