ମାଲଗୋଦାମ ଗୁଳିକାଣ୍ଡ ଘଟଣା : ଗୁଳି କରିଥିବା ଯୁବକ ଗିରଫ, ମାଉଜର ସହ ଅଫୁଟା ଗୁଳି ଜବତ

Published By : Prameya-News7 Bureau | September 25, 2020 IST

ରାଉରକେଲା ୨୫।୯: ରାଉରକେଲା ମାଲଗୋଦାମ ଅଞ୍ଚଳରେ ଗୁଳିକାଣ୍ଡ କରିଥିବା ଯୁବକଙ୍କୁ ଗିରଫ କଲା ପୋଲିସ । ଯୁବକଙ୍କ ନିକଟରୁ ମାଉଜର ସହ ଅଫୁଟା ଗୁଳି ମଧ୍ୟ ଜବତ ହୋଇଛି । ଗୁଳିକାଣ୍ଡ ପରେ ଗତକାଲିଠାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ୮ଟା ୩୦ରେ ମାଲଗୋଦାମ ସର୍ଦାର ବସ୍ତିରେ ଫୁଟିଥିଲା ଗୁଳି ବୁଲିଥିଲା ଖଣ୍ଡା । ଛୋଟ ଛୁଆଙ୍କ କଳି ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଗୁଳି ମାଡରେ ଯୁବକ ରୋହିତ ପଟ୍ଟନାୟକଙ୍କ ବାମ ହାତର ଗୁଳି ବାଜି ବାହାରି ଯାଇଥିବା ବେଳେ ରାଜୁ ଚୌଧୁରୀଙ୍କ ଡାହାଣ କାନ୍ଧ ସହ ବାମ ହାତ ପାପୁଲିରେ ଖଣ୍ଡା ଚୋଟ ବାଜିଥିଲା । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ଦୁଇ ଅଭିଯୁକ୍ତ ଫରଭେଜ ସହ ସାହିଲ ଫେରାର ହୋଇଯାଇଥିଲେ ।

ପୋଲିସର କାର୍ଯ୍ୟାନୁଷ୍ଠାନ ଶିଥିଳତା ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହ ରାସ୍ତାରୋକ କରିଥିଲେ । ରାସ୍ତାରେ ଥିବା ଅଟୋକୁ ଓଲଟାଇ ପୋଲିସ ଉପରକୁ ପଥର ମାଡ କରିବା ସହ ଗୁଳି ମାରିଥିବା ଅଭିଯୁକ୍ତ ଫରଭେଜର ଘର ଭିତରେ ପଶି ଭଙ୍ଗାରୁଜା କରି ପୋଲିସକୁ ଚେତାବନୀ ଦେଇଥିଲେ । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.