ଡାକିନେଇ ମଦ ପିଆଇଲା,ମାତାଲ ଅବସ୍ଥାରେ ଅପହରଣ କରି ନେଇ ମାରିଲା : ୫ଦିନ ପରେ ଖୋଲିଲା ଶରତ ହତ୍ୟାକାଣ୍ଡର ରହସ୍ୟ

Published By : Prameya-News7 Bureau | January 23, 2020 IST

ପାରାଦୀପ ୨୩/୧: ସାମାନ୍ୟ କଳହକୁ କେନ୍ଦ୍ର କରି ଅପହରଣ ଓ ପରେ ହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପରେ। ପାରାଦୀପ ସ୍ଥିତ ନୂଆବଜାର କଲୋନୀରେ ଶରତ ଜେନା ନାମକ ଯୁବକଙ୍କୁ ଅପହରଣ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଯାହାର ଖୁଲାସା କରିଛି ପାରାଦୀପ ଆଦର୍ଶ ଥାନା।

 ଶରତ ଜେନା ପେଶାରେ ଜଣେ ଡ୍ରାଇଭର। ସେ ଦୀର୍ଘଦିନ ହେବ ପାରାଦୀପରେ ଡ୍ରାଇଭିଂ କରି ନିଜର ପରିବାର ସହିତ ନୂଆବଜାର ଝୁମ୍ପୁଡି ବସ୍ତିରେ ରହୁଥିଲେ। ତେବେ ଗଡ଼ମା କିଶୋର ନଗର ଅଞ୍ଚଳରେ ରହୁଥିବା ଇମାମୁଦ୍ଦିନ ନାମକ ଯୁବକ ମଧ୍ୟ ପାରାଦୀପରେ ଡ୍ରାଇଭିଂ କରି ଦୀର୍ଘଦିନରୁ ରହି ଆସୁଥିଲା। ତେବେ କୌଣସି କାରଣରୁ ବିଭିନ୍ନ ସମୟରେ ଶରତ ଓ ଇମାମୁଦ୍ଦିନ ଭିତରେ ଗଣ୍ଡଗୋଳ ଲାଗିଥାଏ।

ଏଥିରେ ଉତକ୍ଷିପ୍ତ ହୋଇ ଇମାମୁଦ୍ଦିନ ଗତ ୧୮ ତାରିଖ ଦିନ ଶରତକୁ ଫୋନ ଯୋଗେ ଡାକି ଅତ୍ୟଧିକ ମଦ୍ୟପାନ କରାଇ ପୂର୍ବ ଯୋଜନା ଅନୁଯାୟୀ ହତ୍ୟା କରିବା ପାଇଁ ପ୍ରସ୍ତୁତି କରିଥିଲା। ନିଶାସକ୍ତ ଅବସ୍ଥାରେ ଶରତକୁ ଏକ ଇନୋଭା ଗାଡ଼ିରେ ଗୋଡ଼ ଦୁଇଟିକୁ ବାନ୍ଧି କଟକ ଚୌଦ୍ବାର ନିକଟସ୍ଥ ଏକ ପୋଖରୀ ପାଖରେ ଅତି ନିର୍ମମ ଭାବେ ଶରତଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରି ପୋଖରୀରେ ଫୋପାଡ଼ି ପଳାଇ ଆସିଥିଲା। ତେବେ ଶରତଙ୍କ ନିଖୋଜ ସମ୍ପର୍କରେ ପାରାଦୀପ ଥାନାରେ ଶରତଙ୍କ ଭାଇ ରଜତ ଜେନା ଏତଲା ଦେଇଥିବା ଓ ଇମାମୁଦ୍ଦିନ ସହ ଶରତଙ୍କର ମଝିରେ ମଝିରେ ଗଣ୍ଡଗୋଳକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଇମାମୁଦ୍ଦିନକୁ ଜେରା କରିବା ପରେ ଇମାମୁଦ୍ଦିନ ସବୁକଥା ମାନିବା ଫଳରେ ପୋଲିସ ତାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଇମାମୁଦ୍ଦିନ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଏକ ଇନୋଭା ଗାଡି ଓ ପଥରକୁ ଜବତ କରିବା ସହ ଏହି ହତ୍ୟାକାଣ୍ଡରେ ଆଉକିଏ ସାମିଲ ଅଛନ୍ତି ତାହାର ତଦନ୍ତ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକାରୀ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.